centurian jitm

ତୁଷୁରା ସଂକୁଳ ସ୍ତରୀୟ ଖେଳକୁଦ ସମାରୋହ ଉଦ୍‌ଯାପିତ

nschool

ଦେଓଗାଁ, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁଯାୟୀ ୨୦୨୪-୨୫ ଶିକ୍ଷା ବର୍ଷର ତୁଷୁରା ସଂକୁଳ ସ୍ତରୀୟ ଖେଳକୁଦ ସମାରୋହ ଗତ ୧୪ ଡିସେମ୍ବରରେ ଜରାସିଂହା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜରାସିଂହା ଆନୁକୂଲ୍ୟରେ ଅନୁଷ୍ଠିତ ଖେଳକୁଦ ସମାରୋହକୁ ମୁଖ୍ୟ ଅତିଥି ଦେଓଗାଁ ଏବିଇଓ ଦାଶରଥି ଥନାପତି ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ୧୩ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟା ସୁମତୀ ସେଠ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଲୋକନାଥ ସେଠ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ଦ୍ରୌପଦୀ ମେହେର ସଭା ସଞ୍ଚାଳନ କରିଥିଲେ । ସଂକୁଳ ସଂଯୋଜକ ସୁଶୀଳ କୁମାର ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଚିତ୍ତରଞ୍ଜନ ଥନାପତି ଆଶୀର୍ବଚନ ପ୍ରଦାନ କରିଥିଲେ । ସଂପାଦକ ରାମେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଠିକ୍ ସେହିପରି ଉଦ୍‌ଯାପନୀ ସମାରୋହରେ ସଂକୁଳ ପ୍ରମୁଖ ତଥା ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ଆଶୁକବି ହେମନ୍ତ ଦାଶ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କ୍ରୀଡା ସୁସ୍ଥ ଶରୀର ଗଠନ କରେ, ଭାଇଚାରା ବଢାଇ ଥାଏ ଏବଂ ପରାଜୟକୁ ସାମନା କରିବାକୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିଥାଏ ବୋଲି ଶ୍ରୀ ଦାଶ ମତ ପୋଷଣ କରିଥିଲେ । ଅମୂଲ୍ୟ ମେହେର ଆଶୀର୍ବଚନ ପ୍ରଦାନ କରିଥିଲେ ଓ ସଭାପତି ଚିତ୍ତରଞ୍ଜନ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାତଃରେ ଆରାଧ୍ୟ ଦେବତା ଜେନାବୁଢା ଗୁଡିଠାରୁ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ୨୦୦ ଜଣ ପ୍ରତିଭାଗୀ ୫୭ଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ୧୧ ବର୍ଷରୁ ତଳ ବର୍ଗରେ ତେନ୍ତୁଳିଖୁଣ୍ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରାହୁଲ ମହାକୁର, ୧୪ ବର୍ଷରୁ ତଳ ବର୍ଗରେ ତୁଷୁରାର ଶିଖାଞ୍ଜଳି ଭଣ୍ଡା ଏବଂ ୧୭ ବର୍ଷରୁ ତଳ ବର୍ଗରେ ଜରାସିଂହାର ସମୀକ୍ଷା ମେହେର ପୁରସ୍କୃତ ହୋଇଥିଲେ । ସଂକୁଳ ସ୍ତରୀୟ କ୍ରୀଡାର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବେ ପ୍ରଥମ ତୁଷୁରା, ଦ୍ୱିତୀୟ ସଇଁନ୍ତଳା ଓ ତୃତୀୟ ସ୍ଥାନ ଛନଛଡା ଓ ଗୁଡଭେଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗ୍ରହଣ କରିଥିଲେ । ଏଥିରେ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ ସଦସ୍ୟା, ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଆଠଜଣ କ୍ରୀଡା ପରିଚାଳକ ଓ ତିନିଜଣ ପରିଚାଳିକା କ୍ରୀଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!