
ରାଉରକେଲା, (ସସ୍ମିତା ପ୍ରଧାନ) : ସହୀଦଙ୍କ ପ୍ରତି ସମର୍ପିତ ଥିବା ଉଦାହରଣ ଟ୍ରଷ୍ଟ ପକ୍ଷରୁ ତୃତୀୟ ସହୀଦ ସମ୍ମାନ ସମାରୋହ ସିଭିକ ସେଣ୍ଟରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସିଆରପିଏଫର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ୱଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯ ବାଟାଲିୟନ ସିଆରପିଏଫ କମାଣ୍ଡାଣ୍ଟ ନରେଶ କୁମାର ଶର୍ମା, ଦ୍ୱିତୀୟ କମାଣ୍ଡାଣ୍ଟ ମହେଶ ବିଶ୍ଵକର୍ମା , ସିଆଇଏସଏଫ୍ ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ ,ସମାଜସେବୀ ସୁନିଲ କାୟଲ ,ପୋଷ୍ଟାଲ ସୁପପରିଟେଣ୍ଡେନ ଶ୍ୟାମସୁନ୍ଦର ମହାରଣା ,ଏନ୍ଆଇଟିର ପ୍ରଫେସର ହୃଷିକେଶ ନାୟକ , ଆରଏସପିର ମହାପ୍ରବନ୍ଧକ ରାଜକିଶୋର ଧାରୁଆ, ପ୍ରାକ୍ତନ ସୁବେଦାର ସୋମନାଥ ସାହୁ, ଉପେନ୍ଦ୍ର ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫୁଲୱମା ସହୀଦ ଦିବସ ପାଳନ ଅବସରରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶପାଇଁ ପ୍ରାଣବଳୀ ଦେଇ ଓଡ଼ିଶା ମାଟିକୁ ଗର୍ବିତ କରିଥିବା ୬ଜଣ ସହୀଦ ପରିବାରକୁ ସମ୍ମାନିତ କରିଥିଲେ । ଏହି ସହୀଦ ମାନେ ହେଲେ ଝାରସୁଗୁଡ଼ା ଲଖନପୁରର ଦୀପକସେନ ଭୋଇ, ବ୍ରଜରାଜନଗରର ବଳରାମ ପ୍ରଧାନ, ଲଇକେରାର ଉମାକାନ୍ତ ନାଏକ, ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରାର ଅନୀଲ ମାଝୀ, କେଉଁଝରର ଗଣେଶ ପ୍ରସାଦ ସା ଓ ସଞ୍ଜୟ କୁମାର ଦାସ । ଏହି ଅବସରରେ ସେମାନଙ୍କ ପରିବାରକୁ ସମ୍ମାନିତ କରାଯିବା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ତନ୍ତୀ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ପୃଷଭୂମି ସମ୍ପର୍କରେ ଓ ସାଧାରଣ ସମ୍ପାଦକ ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୂଚନାଯୋଗ୍ୟ ଯେ ପ୍ରଥମ ବର୍ଷ ୧୩, ଦ୍ୱିତୀୟ ବର୍ଷ ୮ ଟି ସହୀଦ ପରିବାରକୁ ସମ୍ମାନିତ କରାଯାଇଥିଲା ବେଳେ ଚଳିତ ବର୍ଷ ୬ ଟି ପରିବାରକୁ ସମ୍ମାନିତ କରାଯାଇଥିଲା । ଉଦାହରଣ ଟିମ୍ କେବଳ ସହିଦ୍ ପରିବାରକୁ ସମ୍ମାନିତ କରେ ନାହିଁ ପରବର୍ତ୍ତୀ ସମୟରେ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥାଏ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, କୋଷାଧ୍ୟକ୍ଷ ରୋହିତ ମହାନନ୍ଦିଆ,ସଦସ୍ୟ ସଞ୍ଜୟ ପ୍ରଧାନ, ଅଶ୍ୱିନୀ କୁମାର ଶାସନୀ, ରାଜେଶ ତନ୍ତୀ, ବିଶ୍ୱଜିତ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମ୍ମାନିତ ହୋଇଥିବା ପରିବାର ଏଥିପାଇଁ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ରଖିଥିଲେ ।