
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର କୋଏଲ ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିର ନ୍ୟାସକୁ ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ ୨୦୨୫ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ସାରସ୍ଵତ ଅନୁଷ୍ଠାନ ଭଞ୍ଜ ଭାରତୀ ପକ୍ଷରୁ ଶ୍ରୀଜଗନ୍ନାଥ ଚେତନା ଆଧାରିତ ସ୍ୱତନ୍ତ୍ର ଭକ୍ତିମୟ ସତ୍ତ୍ର ଲୀଳାମୟ ନୀଳାଦ୍ୱିଶ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ ନ୍ୟାୟମୂର୍ତ୍ତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ତିରୁପତି ସ୍ଥିତ ରାଷ୍ଟ୍ରିୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ. ଭାରତଭୂଷଣ ରଥ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତିରେ ଉଦାର, ସାମାଜିକ, ପରମ୍ପରା, ଜଗନ୍ନାଥ ଚେତନା କିପରି ବିଶ୍ୱ ଜୀବନର ମଧୁମୟ ବାର୍ତ୍ତା ପ୍ରଦାନ କରେ ଓ ଜଗନ୍ନାଥ ସଂସ୍କୃତିରେ ନୀଳମାଧବ ତତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଜଗନ୍ନାଥ ଚେତନା ପ୍ରବକ୍ତା ଡ. କୃଷ୍ଣକେଶବ ଷଡ଼ଙ୍ଗୀ କଳାମୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମ-ଋପ-ଲୀଳା-ଧାମର ଯଥାର୍ଥ ତାତ୍ପର୍ଯ୍ୟ ଓ ଲୋକଶିକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଉରକେଲା କୋଏଲ ନଗର ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିରର ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ମନୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଭଞ୍ଜ ଭାରତୀ ସାଂସ୍କୃତିକ ସମ୍ମାନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷା ଶୈଳଜା ମିଶ୍ର ସଂଯୋଜନା କରିଥିବା ବେଳେ ଶେଷରେ ଗିରିଜା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।