ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କଲେ ନବୀନ

ଭୁବନେଶ୍ଵର : ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ । ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଆହୁରି କହିଛନ୍ତି ଯେ, ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ । ତାହେଲେ ବିଜେପି ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା ? ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି ନା ଏହା ଏକ ଧୂଆଁବାଣ ? ନବୀନ କହିଛନ୍ତି ଯେ, ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା ; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି । ଏହା କେଉଁ କାମରେ ଲାଗିବ ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ । କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ । ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି । ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ । ଆମ ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ । କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା । ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ ।

jittmm
Leave A Reply

Your email address will not be published.