ସମାଜସେବୀଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୫ ଭାଇ ଭଉଣୀ

ଭୁବନେଶ୍ୱର : ୫ ମାସ ତଳେ ମା’ ଆରପାରିକୁ ଚାଲି ଯାଇଥିଲେ । ଗତ କିଛିଦିନ ତଳେ ପିତାଙ୍କ ହାତ ମଧ୍ୟ ଉଠିଗଲା । ହସ ଖୁସିରେ ପରିବାର ଚଳାଇବାକୁ ଗଞ୍ଜାମରୁ ରାଜଧାନୀକୁ ଧାଇଁ ଆସିଥିବା ପ୍ରକାଶ ଚନ୍ଦ୍ର ବଡ଼ତ୍ୟାଙ୍କ ୫ପୁଅ ଝିଅ ଅନାଥ ହୋଇଗଲେ । ସୂଚନା ଯୋଗ୍ୟ ଯେ, ବଡ ଝିଅ ଦୃଷ୍ଟିହୀନ ସାଙ୍ଗକୁ ମଝିଆ ଝିଅ ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ଚକେଇସିଆଣି ସମେଇଗାଡ଼ିଆ ଅଞ୍ଚଳରେ ୫ବର୍ଷ ଧରି ଭଡାରେ ରହି ଆସୁଥିଲେ ପ୍ରକାଶଙ୍କ ପରିବାର । ପତ୍ନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବ ହେତୁ ଚିକିତ୍ସା କରିନପାରି ଗତ ୫ମାସ ତଳେ ଆଖି ବୁଜିଥିଲେ । ଏକ ଛୋଟିଆ ଟିଫିନ ଦୋକାନ କରି ପରିବାରର ଛଅ ଜଣଙ୍କୁ ଦାନା ଯୋଗାଡ଼ କରୁଥିଲେ ପ୍ରକାଶ କିନ୍ତୁ ତାଙ୍କର ଦେହାନ୍ତ ପରେ ତାଙ୍କର ଶିଶୁ ମାନେ ଅସହାୟ ହୋଇପଡିଥିଲେ । ବଡ ଝିଅ ପ୍ରଭାସିନୀ ଜନ୍ମରୁ ଦୃଷ୍ଟିହୀନ ହେତୁ ବାପାଙ୍କ ବିନା କୌଣସି କାମ କରିପାରନ୍ତି ନାହିଁ । ସବୁକାମ ଛାଡି ତାଙ୍କ ପିତା ପ୍ରଭାସିନୀଙ୍କ ଦେଖାଶୁଣା କରୁଥିଲେ । ସେହିପରି ବଡ ମଝିଆ ଝିଅ ଜନ୍ମରୁ ପୋଲିଓରେ ଆକ୍ରାନ୍ତ ହେତୁ ଠିକରେ ଚାଲି ପାରନ୍ତି ନାହିଁ । ସେମାନଂକୁ ଆହା ପଦେ କହିବାକୁ କେହି ନାହାନ୍ତି । ବଡ ଦୁଃଖର ବିଷୟ ଏହି ଯେ, ତାଙ୍କ ପିତାଙ୍କ ଦଶାହ କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ସାହାର୍ଯ୍ୟ ମାଗିଥିଲେ । କିଛି ସହୃଦୟ ବ୍ୟକ୍ତି ସେମାନଙ୍କୁ କିଛି ସହଯୋଗ କରିଥିଲେ । ଏହି ଖବର ବିଷୟରେ ଭୁବେନେଶ୍ୱରର ସମାଜସେବୀ ଗଗନ ବିହାରୀ ପଇଟାଳ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ଏହି ଖବର ପାଇଲାପରେ ସମାଜସେବୀ ଯଶୋବନ୍ତ ରଣା ଖୋର୍ଦ୍ଧା ଜିଲ୍ଲାପାଳ, ଶିଶୁ ସୁରକ୍ଷା ୟୁନିଟ ଖୋର୍ଦ୍ଧା, ମନ୍ତ୍ରୀ ଟୁକୁନି ସାହୁ ଜଣାଇ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ଥଇଥାନ କରିବାକୁ ନିବେଦନ କରିଥିଲେ । ଖବର ପାଇ ଶିଶୁ ସୁରକ୍ଷା ୟୁନିଟ ପହଂଚି ଥଇଥାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶରେ ସେମାନଙ୍କୁ ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଶିଶୁ ସୁରକ୍ଷା ୟୁନିଟ ଦେଇଛନ୍ତି । ସେହିପରି ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଏକ ଚିଠିରେ ଉଲ୍ଲେଖ କରିଛନ୍ତି । ତିନି ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ପ୍ରତେକଙ୍କୁ ୨୫ସହ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଯଶୋବନ୍ତ ରଣାଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.