jittmm
sonalika

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ ସାମ୍‌ନାକୁ ଆସିଛି । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ କ୍ୟାମ୍ପସ୍‌ରେ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ପ୍ରଦାନ କରାଯାଉଛି ନିଶୁଳ୍କ ମଧ୍ୟାହ୍ନ ଭୋଜନ । ଶହ ଶହ ରୋଗୀଙ୍କ ପରିଜନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇପାରୁଥିବା ଦେଖିବାକୁ ମିଳିଛି । ଆଜି ୧୭ତମ ରବିବାର ଅବସରରେ ଅନ୍ନପୂର୍ଣ୍ଣା ନାମ ବହନ କରିଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ ଯୋଗଦାନ କରି ସହଯୋଗ ଫାଉଣ୍ଡେସନ୍‌ର ଏଭଳି ଜନହିତକର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି । ମୁଖ୍ୟ ଆକର୍ଷଣୀୟ ଦିଗ ହେଲା, ଏହି କାର୍ଯ୍ୟକ୍ରମ ଯେଭଳି ନିଆରା ଏହାର ଆହ୍ୱାନ ମଧ୍ୟ ବେଶ୍‌ ସ୍ୱତନ୍ତ୍ର । ସଂପୂର୍ଣ୍ଣ ଲୋକଙ୍କ ସହଯୋଗରେ ହିଁ ଏହି ନିଶୁଳ୍କ ମଧ୍ୟାହ୍ନ ଭୋଜନ ବଂଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ଯେକେହି ବି ସାମିଲ୍‌ ହୋଇପାରିବେ । ପିଲାଙ୍କ ଜନ୍ମଦିନ ହେଉ, ବିବାହ ବାର୍ଷିକୀ ହେଉ କିମ୍ବା ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଅଥବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବି ଯେକେହି ଗୋଟିଏ ରବିବାରର ଅନ୍ନ ଖର୍ଚ୍ଚ ବହନ କରି ଏହି ସମାଜସେବାରେ ସାମିଲ୍‌ ହୋଇପାରିବ ଏବଂ ଅପୂର୍ବ ଆନନ୍ଦ ମଧ୍ୟ ପ୍ରାପ୍ତ ହେବ । ମାନବ ସେବା, ମାଧବ ସେବା ମହାମନ୍ତ୍ରରେ ବିଶ୍ୱାସ ରଖୁଥିବା ଏହି ସହଯୋଗ ଫାଉଣ୍ଡେସନ୍‌ ରବିବାର ଦିନ ସରକାରୀ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ରୋଗୀମାନଙ୍କ ପରିଜନ ଯେପରି ମଧ୍ୟାହ୍ନ ଭୋଜନ ପାଇଁ ହଇରାଣ ହେବେ ନାହିଁ, ସେ ଦିଗରେ ଚିନ୍ତା କରି ପ୍ରତ୍ୟେକ ରବିବାର ଠିକ୍‌ ଦିନ ସାଢେ ୧୨ଟା ସମୟରେ ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ କ୍ୟାମ୍ପସ୍‌ର ବ୍ଲଡ୍‌ ବ୍ୟାଙ୍କ୍‌ ସାମ୍ନାରେ ନିଶୁଳ୍କ ମଧ୍ୟାହ୍ନ ଭୋଜନ ବିତରଣ କାର୍ଯ୍ୟକ୍ରମ ହାତକୁ ନେଇଛି । ସହଯୋଗ ଫାଉଣ୍ଡେସନ୍‌ର ଏଭଳି ନିଃସ୍ୱାର୍ଥପର ଲୋକାଭିମୁଖୀ ସମାଜସେବା ସମାଜ ପାଇଁ ଉଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି ।

Leave A Reply

Your email address will not be published.