ସାମାଜିକ ଗଣ ମାଧ୍ୟମରେ ହିନ୍ଦୁ ପ୍ରତି କଟୁ ସମାଲୋଚନାକୁ ନେଇ ଅଞ୍ଚଳରେ ଉତ୍ତେଜନା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ସହରର ଜଣେ ବ୍ୟବସାୟୀ ଜାତିଆଣ ବିବୃତି ଓ ହିନ୍ଦୁ ବିରୋଧୀ ଏକ ପୋଷ୍ଟକୁ ନିଜ ଫେସ୍‌ବୁକ୍‌ରେ ସେୟାର କରି ଥିବା ଘଟଣାକୁ ନେଇ ଅଞ୍ଚଳର ବିଭିନ୍ନ ହିନ୍ଦୁ ସଂଗଠନର ପ୍ରତିକ୍ରିୟା ସହିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଗତ ଶୁକ୍ରବାର ସନ୍ଧ୍ୟାରେ ଶତାଧିକ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତା ଜୟପାଟଣା ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ସହରର ବାବା ବୁଟ୍‌ ହାଉସର ମାଲିକଙ୍କ ପୁଅ ଯାଭେଦ ଆଲମ୍ ଗତ କିଛି ଦିନ ତଳେ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ହିନ୍ଦୁ ବିରୋଧୀ ଏବଂ ଜାତିଆଣ ଭିତ୍ତିକ ଏକ ମନ୍ତବ୍ୟକୁ ସେୟାର କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଅଞ୍ଚଳରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ହିନ୍ଦୁ ଏକତା ମଞ୍ଚର ରାଜ୍ୟ ଉପସଭାପତି ଅଶୋକ କୁମାର ପଣ୍ଡା ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଘଟଣା ରାଷ୍ଟ୍ର ହେବା ପରେ ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ସନ୍ଧ୍ୟାରେ ଜୟପାଟଣା ଥାନାରେ ପହଞ୍ଚି ଅଭିଯୁକ୍ତ ବିରୁଦ୍ଧରେଆଇନ ଗତକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ । ଏ ସଂକ୍ରାନ୍ତରେ ଜୟପାଟଣା ଥାନା ଅଭିଯୋଗ ଗ୍ରହଣ କରି ଅଭିଯୁକ୍ତ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୯୬(୨), ୨୯୯, ୩୫୨ଦଫାରେ ମାମଲା ରୁଜ୍ଜୁ କରିଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ଅଭିଯୁକ୍ତ ଯାବେଦ ଭାରତୀୟ ଜନତା ପାର୍ଟି ସଂଖ୍ୟା ଲଘୁ ସେଲର ମଣ୍ଡଳ ସଭାପତି ରହିଥିବା ବେଳେ ସଂପୃକ୍ତ ଘଟଣା ପରେ ତାଙ୍କୁ ପଦବୀରୁ ବହିସ୍କାର କରାଯାଇଥିବା ମଣ୍ଡଳ ସଭାପତି ଉଆଁସୁ ବିଶ୍ଵାଳ ପ୍ରକାଶ କରିଛନ୍ତି । ଜୟପାଟଣା ଅଞ୍ଚଳର ମୁସଲିମ ସମାଜ ମଧ୍ୟ ଏ ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।

Leave A Reply

Your email address will not be published.