
- ଦେବୀ ଦଶଭୂଜା ମହାକାଳୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନର ବିହିତ ବନ୍ଦୋବସ୍ତ, ବିହିତପ୍ରତିକାର ବ୍ୟବସ୍ଥା, ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଐତିହାସିକ ଚୈତ୍ରପର୍ବ ପ୍ରଥମ ପାଳିରେ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟ ପୁଣ୍ୟତ୍ତୋୟା ଋଷିକୂଲ୍ୟା ନଦୀ କୂଳରେ ପୂର୍ଣ୍ଣଗିରି ଶିଖରକ୍ଷେତ୍ରରେ କେଉଁ ଆବାହମାନ କାଳରୁ ମା’ ତାରାତାରିଣୀ ବିଦ୍ୟମାନ କରିଛନ୍ତି । ପ୍ରସିଦ୍ଧ ତନ୍ତ୍ରପୀଠ, ଶାକ୍ତପୀଠ ଭାବେ ଭାରତ ଭୂ-ଭାଗରେ ଜନ୍ମଗ୍ରହଣ କରିଥିବା ଦେବୀ ପାର୍ବତୀଙ୍କର ଏହା ସ୍ତନପୀଠ ଭାବେ ପୂଜିତ ଓ ସୁବିଦିତ । ମା’ ତାରାତାରିଣୀଙ୍କ ମହିମା ଅପାର, ଅବର୍ଣ୍ଣନୀୟ ଅଟେ । ଆଜିର ପ୍ରଥମ ପାଳିରେ ଦେବୀ ଦଶଭୂଜା ଦେବୀ ତାରାତାରିଣୀ ମହାକାଳୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଜି ସକାଳୁ ସକାଳୁ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ଲମ୍ବା ଲାଇନ ଲମ୍ବିଥିବା ଦେଖିବାକୁ ମିଳିଛି । ମା’ଙ୍କ ପାଦପୀଠରୁ ପୂର୍ଣ୍ଣଗିରି ପର୍ବତର ଶିଖର ସ୍ଥଳ ପର୍ଯ୍ୟନ୍ତ ଭକ୍ତଙ୍କ ଗହଳ ଚହଳ ଲାଗିରହିଛି । ପର୍ବତ ଉପରକୁ ଯିବାପାଇଁ ମାନସିକଧାରୀ ଭକ୍ତମାନେ ତ୍ୟାଗପୂତ ଭାବେ ଭକ୍ତି ପ୍ରଦର୍ଶନ କରି ପର୍ବତର ସୋପାନ ଶ୍ରେଣୀରେ ଅଗଣିତ ଭକ୍ତ ଚାଲି ଚାଲି ଯାଉଛନ୍ତି । ରୋପ-ୱେ ମାଧ୍ୟମରେ, ପର୍ବତ ଉପରକୁ ଯାଇଥିବା ପକ୍କା ସଡକ ପଥରେ ସିଟି ବସ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ବହୁ ଦାନୀ, ଧର୍ମକାରୀମାନଙ୍କ ସୌଜନ୍ୟରେ ପଣା ବିତରଣ ହେଉଥିବା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ହାଲୁଆ, ଦୋଭୁଜା, ଫଳ ଆଦି ଜଳଖିଆ ବିତରଣ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ପ୍ରଚଣ୍ଡ ରୋଦ୍ରତାପକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ଜଳ ସିଞ୍ଚନ, ଜଳଛତ୍ର, ଅନ୍ନ ଭୋଗର ମଧ୍ୟ ବନ୍ଦୋବସ୍ତ କରାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅହେତୁକ ଜନସମାଗମ ହୋଇଥିଲେ ମଧ୍ୟ ମା’ଙ୍କ ପ୍ରଥମ ପାଳି ଚୈତ୍ର ପର୍ବ ଅବସରରେ ଦେବୀଙ୍କ ଶୃଙ୍ଖଳିତ ଦର୍ଶନ ହୋଇପାରିଛି ।