
ଭୁବନେଶ୍ୱର : ୨୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ଭଲବର୍ଷା ହେବ । କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏହାକୁ ନେଇ ସତର୍କ କରାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ତେବେ ବାତ୍ୟା ନେଇ ଆଇଏମ୍ଡି କୌଣସି ପୂର୍ବାନୁମାନ କରିନି । କିନ୍ତୁ ସୋସିଆଲ ମିଡିଆରେ ବାତ୍ୟା ହେବା ନେଇ ଅନେକ ଗୁଜବ ବୁଲୁଛି । ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ ଅପିଲ୍ କରିଛନ୍ତି । ମୌସୁମୀ ପହଞ୍ଚିବାରେ କିଛି ସମୟ ଲାଗିବ । ମୌସୁମୀ ଏବେ କେରଳ ଛୁଇଁବା ପରେ ଆଗକୁ ବଢୁଛି । ଦକ୍ଷିଣ ଭାରତ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମୌସୁମୀ ପହଞ୍ଚିବା ପରେ ଓଡ଼ିଶା ଆସିବ । ଏ ନେଇ ଆଗକୁ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ତେବେ ଆସନ୍ତା ୩ଦିନରେ ମୁମ୍ବାଇ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର କିଛି ସ୍ଥାନକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି । ସୋମବାର ଲଘୁଚାପ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ବି ଅଛି । ମଙ୍ଗଳବାର (୨୭ ତାରିଖ) ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ସ୍ଥାନକୁ ଛାଡ଼ି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା ଅଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିବ ।