ଲାଠିକଟାରେ ମହିଳା ସମାବେଶ

  • ମହିଳା କୃଷକ ମାନଙ୍କର ବିକାଶ ନ ଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ଅନ୍ତର୍ଗତ ସିଉଡ଼ିହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ଲାଠିକଟା କୃଷକ ଉତ୍ପାଦକ ସଂଗଠନ ଓ ଜାତୀୟ ଶ୍ରମିକ ଶିକ୍ଷା ବୋର୍ଡ ମିଳିତ ଆନୁକୂଲ୍ୟରେ ମହିଳା କୃଷକ ମାନଙ୍କ ପାଇଁ କୃଷକ ଉତ୍ପାଦକ ସଂଗଠନ ଗଠନ ଓ ବିକାଶ ସମ୍ପର୍କରେ ଏକ ସଚେତନତା କର୍ମ ଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ସଂଗଠନ “ଲାଲ”ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡା ଏଥିରେ ଅଧ୍ୟକ୍ଷତା କରି କହିଲେ ମହିଳା କୃଷକ ମାନଙ୍କ ସାମାଜିକ ଅର୍ଥନୈତିକ ଓ ବୈଷୟିକ କିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ । ଏଥି ନିମନ୍ତେ ମହିଳା କୃଷକ ଉତ୍ପାଦକ ସଂଗଠନ ଗଠନ ଏକାନ୍ତ ଅପରିହାର୍ଯ୍ୟ । କୃଷକ ତଥା ଚାଷୀମାନେ ଏହି ସଂଗଠନ ମାଧ୍ୟମରେ ଉନ୍ନତମାନର ବିହନ ରାସାୟନିକ ସାର, କୀଟନାଶକ ଔଷଧ ଓ କୃଷି ଉପକରଣ ସୁଲଭ ମୂଲ୍ୟରେ ପାଇପାରିବେ । କୃଷକ ମାନେ ଉତ୍ପାଦନ କରୁଥିବା ପନିପରିବା ଠାରୁ ଆରମ୍ଭ କରି କୋଳଥ, ବିରି, ମୁଗ, ହରଡ଼, ସୋରିଷ, ମାଣ୍ଡିଆ, ଗହମ ପ୍ରଭୁତି ଶସ୍ୟ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀମାନେ ବିକ୍ରି କରି ଅଧିକ ଲାଭବାନ ହୋଇପାରିବେ । ଏଣୁ ମହିଳା କୃଷକ ଉତ୍ପାଦକ ସଂଗଠନରେ ସଦସ୍ୟ ହୋଇ ଏହାର ସୁଯୋଗ ନେବା ପାଇଁ ମହିଳା କୃଷକ ମାନଙ୍କୁ ଶ୍ରୀ ପରିଡା ଆହ୍ୱାନ ଦେଇଥିଲେ । ଜାତୀୟ ଶ୍ରମିକ ଶିକ୍ଷା ବୋର୍ଡର ଶିକ୍ଷାଧିକାରୀ ନାଗାର୍ଜୁନ ରେଡି କହିଲେ ଯେ କେନ୍ଦ୍ରୀୟ ଯୋଜନା ଅଧୀନରେ ଥିବା କୃଷକ ଉତ୍ପାଦକ ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଏହା ଜରିଆରେ କୃଷକ ମାନଙ୍କ ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ଅରୁଣା ଇରାନୀ କିଷାନ, ତାଙ୍କ ବକ୍ତବ୍ୟରେ କହିଲେ ମହିଳା ମାନେ ସ୍ୱାବଲମ୍ବୀ ହେବାକୁ ହେଲେ କୃଷକ ଉତ୍ପାଦକ ସଂଗଠନରେ ସାମିଲ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ସାମ୍ବାଦିକ ଅନିଲ ପଟ୍ଟନାୟକ, ସନ୍ଦୀପ ପରିଡା, ବିଶାଲ କିଷାନ, ପଦ୍ମାବତୀ ସିଂ ସୌଦାମିନୀ କିଷାନ, ସରିତା ପୂରଣ ଗୁରୁବାରୀ ମୁଣ୍ଡା, ସୁଲୋଚନା ବାରର୍ଲା, ପୁଷ୍ପା ନାୟକ ଓ ସନ୍ଧ୍ୟା କେରକେଟା ପ୍ରମୁଖ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଲାଠିକଟା ବ୍ଲକ ସଂଯୋଜକ ମୋନାଲିସା ପରିଡା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା କୃଷକ ଯୋଗଦେଇଥିଲେ ।

Leave A Reply

Your email address will not be published.