ଆଗଲପୁର କୃଷି ସେବା ସମବାୟ ସମିତିର ସଭାପତିମାନଙ୍କ ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୃଷି ସେବା ସମବାୟ ସମିତିର ସଭାପତିମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଡୁଡୁକା କୃଷି ସେବା ସମବାୟ ସମିତିର ସଭାପତି ବଳରାମ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଗଲପୁର ବ୍ଲକର ସମସ୍ତ ସମବାୟ ସମିତିର ସଭାପତି ଓ ସଂପାଦକମାନେ ଯୋଗଦେଇଥିଲେ । ଗତ ୨/୧୨/୨୪ ତାରିଖରୁ ଧାନମଣ୍ଡି ଗୁଡିକ ଖୋଲିଥିଲେ ମଧ୍ୟ କୌଣସି ଗୋଟିଏ ହେଲେ ମଣ୍ଡିରେ ଧାନକିଣା ଆରମ୍ଭ ହୋଇନାହିଁ । ଧାନକିଣା ବିଳମ୍ବ ହେଉଥିବାରୁ ସଭାପତିମାନେ କ୍ଷୋଭ ପ୍ରକାଶ କରିଥିଲେ । ଚାଷୀର ଧାନ କିପରି ସଠିକ୍‌ ଭାବରେ କିଣା ଯାଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ଆହୁରି ମଧ୍ୟ ଆଲୋଚନାର ବିଷୟ ବସ୍ତୁ ଥିଲା ଯେ, ଚାଷୀଙ୍କ ଦିଆଯାଇଥିବା ଟୋକନଗୁଡିକର ଅବଧି ପ୍ରାୟ ସରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇନାହିଁ । ସବୁଠାରୁ ପରିତାପର ବିଷୟ ସରକାର ଏ ବର୍ଷ ପ୍ରଥମକରି ଅଖାବସ୍ତା ଦେବାକୁ ସ୍ଥିର କରିଛନ୍ତି । ତାହା ମଧ୍ୟ କୌଣସି ସମବାୟ ସମିତିକୁ ପହଞ୍ଚି ପାରିନାହିଁ । ପଟୁଆପାଲି ସମବାୟ ସମିତିର ସଭାପତି ପ୍ରମୋଦ କୁମାର ମିଶ୍ର ସୂଚନା ଦେଇଥିଲେ କିଛି ଖାଲି ଅଖାବସ୍ତା ପଟୁଆପାଲି ସମବାୟ ସମିତିକୁ ଦେଇଛନ୍ତି । କିନ୍ତୁ ସେଥିରୁ ଅଧିକାଂଶ ଫଟା ଚିରା ଦଦରା ବସ୍ତା ଦେଇଛନ୍ତି । ସେଥିରେ ଚାଷୀ କିପରି ଭାବେ ଧାନ ର୍ଭି କରି ମଣ୍ଡିକୁ ଆଣିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତି ସେବା ସମବାୟ ସମିତିକୁ ଯେତେ ଟାର୍ଗେଟ ଅଛି ସେତିକି ବସ୍ତା ଏକା ସାଗରେ ଦେବାକୁ ଅନୁରୋଧ କରିଥିବା ସୂଚନାରୁ ପ୍ରକାଶ । ଏହି ବୈଠକରେ ଜଗବନ୍ଧୁ ପଧାନ, କଲାରସିଂ ବାଗ, ରଜନୀକାନ୍ତ ପାତ୍ର, ଚିନ୍ତାମଣି ଭୋଇ, ପ୍ରମୋଦ କୁମାର ମିଶ୍ର, ଫକିର ବିଶ୍ୱାଲ, ବରୁଣ ଯୁଆଡି, ମୋତି ସରାଫ, ମତି ପଦ୍ମିନୀ ମେହେର ଓ ଶଶାଙ୍କ ଶେଖର ଭୋଇ, ଉତ୍ତମ ଭୋଇ ଆଦି ସମବାୟ ସମିତିର ସଭାପତିମାନେ ଯୋଗଦେଇଥିଲେ । ସରକାର ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚିତ୍‌ ପଦକ୍ଷେପ ନେବାକୁ ସମବାୟ ସମିତି ସଂଘ ଦାବୀ ରଖିଛନ୍ତି ।

Leave A Reply

Your email address will not be published.