ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ ) : ଭଗବାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ-୨୦୨୫ ଉପଲକ୍ଷେ ମେଳଣ ପରିଚାଳନା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରସନ୍ନ ମହାରଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଆଇନୀଜୀବି ସଂଗ୍ରାମ କେଶରୀ ପ୍ରଧାନ, ସମାଜସେବୀ ନିରୁପମା ପାତ୍ର, ବିଷ୍ଣୁ ପ୍ରସାଦ ଜେନା, ବିଜୟ କୁମାର ଜେନା, ମନୋଜ ଜେନା, ବିଭୁତି ଭୂଷଣ ପାତ୍ରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଠାକୁରଙ୍କ ଜମାଣ ରାତ୍ର ଉତ୍ସବ ତା -୧୯/୦୩/୨୫ ବୁଧବାର ଅନୁଷ୍ଠିତ ହୋଇ ତା -୨୩/୦୩/୨୫ ଠାକୁର ମେଳଣ ଉତ୍ସବ ତଥା ହରିହର ଭେଟ, ରବିବାର ସନ୍ଧ୍ୟାରେ ସମ୍ପନ୍ନ ହେବ । ଚଳିତ ବର୍ଷ ଠାକୁରଙ୍କ ଜମାଣ ଉତ୍ସବକୁ ଅଧିକ ଆକର୍ଷଣୀୟ, ସରସ ସୁନ୍ଦର ଓ ଚିତ୍ତାକର୍ଷକ ହେବା ନେଇ ନଦିଆ ସଂକୀର୍ତନ, ପାଇକ ଆଖଡ଼ା, ଘଣ୍ଟ ବାଦ୍ୟ, ବାଦ୍ୟ ବିଚିତ୍ରା ଦଳ, ଭେରୀ ତୁରୀ ଧ୍ୱନି ଦଳ, ଅଗ୍ନି ପିଣ୍ଡୁଳା ପ୍ରଦର୍ଶନ, ଶତାଧିକ ଛୋଟ ପିଲାଙ୍କ ଦ୍ୱାରା ଆଳତୀ କାର୍ଯ୍ୟକ୍ରମ, ଦୁଇ ହଜାରରୁ ଉର୍ଦ୍ଧ୍ୱ ସଂକୀର୍ତ୍ତନ ମଣ୍ଡଳିଙ୍କ ଦ୍ୱାରା ବିରାଟ ହରି ହାଟ କାର୍ଯ୍ୟକ୍ରମ ଏବଂ ସାଧୂସନ୍ଥଙ୍କ ଦ୍ୱାରା ପଞ୍ଚଦିବସୀୟ ଯଂଜ୍ଞ ଆୟୋଜନ କରାଯିବ । ୪ଟି ଥାନାଧିକାରୀ ଜଟଣୀ, ପିପିଲି, ଡେଲାଙ୍ଗ, ଏଇୟାର ଫିଲଡ ଟ୍ରାଫିକ ସମସ୍ୟା ଉପରେ ଧ୍ୟାନ ଦେବେ, ଜଳ ପରିମଳ, ଅଗ୍ନିଶମ, ଷ୍ଟଲ, ସାଇକେଲ ଷ୍ଟାଣ୍ଡ ବିବ୍ୟସ୍ଥା, ମାନସିକଧାରୀଙ୍କ ବାଣ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମାଗଣା ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା, ହାଇଟେକ ମେଡିକାଲ ଭୁବନେଶ୍ୱର, ବାଗଚୀ କ୍ୟାନସର ହସ୍ପିଟାଲ ତରଫରୁ ମେଗା ସ୍ୱାସ୍ଥ୍ୟ ଶିବିର ଆଦି ଭକ୍ତ ଶ୍ରଦ୍ଧାଳୁ ଓ ଜନସାଧାରଣ ଯେପରି ସୁବିଧାରେ ମେଳଣ ଉତ୍ସବକୁ ଉପଭୋଗ କରିପାରିବେ । ସ୍ଥାନୀୟ ପ୍ରଶାସନ, ମେଳଣ ପରିଚାଳନା କମିଟି ସହିତ ୩୪ଟି ବିଭିନ୍ନ ସାମାଜିକ ଯୁବ ସଂଗଠନ ଏଥିରେ ସହଯୋଗ କରିବେ ବୋଲି ପରିଚାଳନା କମିଟିର ସମ୍ପାଦକ ଶ୍ରୀ ମହାରଥୀ ସୂଚନା ଦେଇଥିଲେ । ଡେଲାଙ୍ଗ, ପିପିଲି, ଜଟଣୀ ବ୍ଲକର ୩୦ରୁ ଉର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଓଡିଶା ପ୍ରସିଦ୍ଧ ଏହି ମେଳଣ ଉତ୍ସବକୁ ଜନସାଧାରଣ ମନ ଭରି ଉପଭୋଗ କରିବାସହିତ ଶାନ୍ତିଶୃଙ୍ଖଳା, ସ୍ୱଚ୍ଛତା ରକ୍ଷା ପାଇଁ ମେଳଣ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.