centurian jitm

ଚର୍ଦାପାଲି ଗ୍ରାମବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର କଲେ ଦୀପା : ବହୁ ପ୍ରତୀକ୍ଷିତ ଅଙ୍ଗନଦୀ ଉପରେ ହେବ ପୋଲ ନିର୍ମାଣ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଗଣମାଧ୍ୟମରେ ଲଗାତାର ଖବର ପ୍ରସାରଣ ଏବଂ ସେହି ଖବରକୁ ସମାଜିକ କର୍ମୀ ଦୀପା ବାରିକଙ୍କ ଟ୍ୱିଟ୍‌ ପରେ ଦୀର୍ଘ ଦିନ ଧରି ଅଞ୍ଚଳବାସୀଙ୍କ ଦାବୀ ହୋଇ ଆସୁଥିବା ବହୁ ପ୍ରତୀକ୍ଷିତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ଠାରୁ ଚର୍ଦାପାଲି ପର୍ୟ୍ୟନ୍ତ ଅଙ୍ଗନଦୀ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଗତ ୧୭ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ପାଇକମାଲ ବ୍ଲକର ସାମାଜିକ କର୍ମୀ ଦୀପା ବାରିକ କରିଥିବା ଟ୍ୱିଟକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏ ବିଷୟରେ ପ୍ରତ୍ୟୁତ୍ତର ଦିଆଯାଇଛି । ଲଖମରା ଠାରୁ ଛତିଶଗଡ ସୀମା ଦେଇ ଚର୍‌ଦାପାଲି ରାସ୍ତାରେ ପ୍ରଥମ କିମିରେ “ଅଙ୍ଗ” ନଦୀ ଉପରେ ବ୍ରିଜ୍ ନିର୍ମାଣ ପ୍ରସ୍ତାବକୁ ୨୧ ମଇ ୨୦୨୧ ରେ ଅନୁମୋଦନ କରାଯାଇଛି ଏବଂ ଆଲାଇନ୍ମେଣ୍ଟ ଫାଇନାଲାଇଜେସନ୍ ସହିତ ଡିଆରପି ପ୍ରସ୍ତୁତି ପାଇଁ ପ୍ରସ୍ତାବ ପାଇଁ ଅନୁରୋଧ ଦିଆଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ ସୂତ୍ର ଅନୁଯାୟୀ ଅଗାମୀ ଏକମାସ ମଧ୍ୟରେ ସର୍ଭେ କାମ ପାଇଁ ଟେଣ୍ଡର ଆହ୍ୱାନ କରି ଫାଇନାଲ କରାଯିବ, ତା ପରେ ସର୍ଭେ କାମ ଶେଷ ହେବ.ସର୍ଭେ କାର୍ୟ୍ୟ ପରେ ବ୍ରିଜ ନିର୍ମାଣ ନିମନ୍ତେ ଡିଜାଇନ ଏବଂ ଡ୍ରଇଂ କାମ ହେବାପରେ ବ୍ୟୟ ଆକଳନ ହେବା ପାଇଁ ହାରାହାରି ୫ ରୁ ୭ ମାସ ଲାଗିବ ବୋଲି ଜଣାପଡ଼ିଛି । ଏଠାରେ ସୂଚନାଯୋଗ୍ୟ ଯେ ଲଖମରା ଠାରୁ ଚର୍ଦାପାଲି ପର୍ୟ୍ୟନ୍ତ ଅଙ୍ଗ ନଦୀ ଉପରେ ବ୍ରିଜ ନିର୍ମାଣ ନିମନ୍ତେ ବିଗତ ଅନେକ ବର୍ଷ ହେଲା ଦାବୀ ହୋଇଆସୁଥିଲା ଯେଉଁଥିରେ ସ୍ଥାନୀୟ ଅଧିବାସୀଙ୍କ ସହ ସ୍ଥାନୀୟ ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମେତ ଅନେକ ସାମାଜିକ କର୍ମୀ ବିଭିନ୍ନ ମାଧ୍ୟମରେ ଭାଗ ନେଇଥିଲେ । ବ୍ରିଜ ନିର୍ମାଣ ନିମନ୍ତେ ପୂର୍ବରୁ ଅନେକ ଥର ପ୍ରତିଶୃତି ମିଳିଥିଲେ ସୁଦ୍ଧା ଲୋକେ ବିଶ୍ୱାସ କରୁନଥିବା ସ୍ଥଳରେ ବର୍ତ୍ତମାନ ପୋଲ ନିର୍ମାଣ ନିମନ୍ତେ ମିଳିଥିବା ସ୍ପଷ୍ଟ ସୂଚନା ପାଇ ଲୋକେ ସାମାଜିକ କର୍ମୀ ଦୀପା ବାରିକ ତଥା ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.