jayashree

ସଇଁନ୍ତଲା ବ୍ଳକରେ ସରିଲା ସ୍ମାର୍ଟ କାର୍ଡ ବଣ୍ଟନ : ଗାଁ କଲ୍ୟାଣ ପାଣ୍ଠିରୁ ଖର୍ଚ୍ଚ କରି ସଭା ଆୟୋଜନ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଟିଟିଲାଗଡ଼ ଗସ୍ତରେ ଆସି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଯାହାକୁ ନେଇ ଲୋକଙ୍କ ମନରେ ଅନେକ ଉତ୍ସାହ ଦେଖାଦେଇଛି । ନେତାଠୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀଙ୍କ ପ୍ରତ୍ୟେକ ପଞ୍ଚାୟତରେ ଡେରା ପକାଇ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଥିଲେ । ନେତା, ମନ୍ତ୍ରୀଙ୍କ ଭିଡକୁ ଦେଖିଲେ ଯେପରିକି ଲାଗୁଥିଲା ନିର୍ବାଚନ ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି । ଯାହାବି ହେଉ ନା କାହିଁକି ଲୋକେ ମାଗଣାରେ ଚିକିତ୍ସା ପାଇ ପାରିବେ ବୋଲି ଅନେକ ଲୋକ ଆଶା ପ୍ରକଟ କରିଛନ୍ତି । ତାହା ବାକି କେତେ ଦୂର କାର୍ଯ୍ୟକାରୀ ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଗତ କିଛି ଦିନ ହେଲାଣି ସ୍ମାର୍ଟ କାର୍ଡ ବଣ୍ଟନର ଶେଷ ହୋଇଛି । ହେଲେ ସଇଁନ୍ତଲା ବ୍ଳକର ୨୨ ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗାଁ କଲ୍ୟାଣ ସମିତି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ପଞ୍ଚାୟତରେ ସଭା ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଗାଁର ସଫେଇ କାମ ପାଇଁ ଉଦ୍ଦିଷ୍ଟ ଅର୍ଥ ଏଥି ପାଇଁ ଖର୍ଚ୍ଚ କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମତେ, ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସଇଁନ୍ତଲା ବ୍ଳକର ୨୨ ଟି ପଞ୍ଚାୟତରେ ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ତେବେ କାର୍ଯ୍ୟକ୍ରମଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁରୁ କିଛି ଦିନ ହେଲା ଜୋରସୋରରେ ଉଦ୍ୟମ ଜାରି ରହିଥିଲା । ଏଥିପାଇଁ ବ୍ଳକର ୧୩୪ ଗାଁ କଲ୍ୟାଣ ସମିତିରୁ ୫ ହଜାର ଲେଖାଏଁ ଅର୍ଥାତ ୬ ଲକ୍ଷ ୭୦ ଟଙ୍କା ନିଆଯାଇଛି । ଅଭିଯୋଗ ହୋଇଛି ଯେ, ଗାଁଗୁଡ଼ିକୁ ସଫାସୁତୁରା ରଖିବା ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସମିତିଗୁଡିକୁ ବାର୍ଷିକ ୧୦ ହଜାର ଲେଖାଏଁ ଅନୁଦାନ ଦିଆଯାଇଛି । ହେଲେ ଏହି ଅନୁଦାନ ସ୍ମାର୍ଟ କାର୍ଡ଼ ବଣ୍ଟନ ସଭାରେ ଖର୍ଚ୍ଚ କରାଯାଇ ଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.