- ପରିଦର୍ଶନ କଲେ ସଂସ୍କୃତି ବିଭାଗର ସଚିବ
ଭୁବନେଶ୍ୱର, (କେପିଏନ୍ଏସ୍) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ତରଫରୁ କଟକର ବାରବାଟୀ ଦୁର୍ଗଠାରେ ନେତାଜୀଙ୍କ ଉପରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ପରାକ୍ରମ ଦିବସ ଉପଲକ୍ଷେ ଆୟୋଜିତ ଏହି ପ୍ରଦର୍ଶନୀରେ ସାହିତ୍ୟ ଏକାଡେମୀ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ବିଭିନ୍ନ ଭାଷାରେ ରଚିତ ୧୪୨ଟି ପୁସ୍ତକ ପ୍ରଦର୍ଶିତ ହୋଇଛି । ଏଥି ସହିତ ପ୍ରଦର୍ଶିତ ପୁସ୍ତକଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଉଦ୍ଧୃତି ସମ୍ବଳିତ ୨୪ଟି ସ୍ୱତନ୍ତ୍ର ପ୍ୟାନେଲ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ଏହି ପ୍ରଦର୍ଶନୀକୁ କେନ୍ଦ୍ର ସଂସ୍କୃତି ବିଭାଗର ସଚିବ ଅରୁଣିଶ ଚାୱଲା ପରିଦର୍ଶନ କରିଥିଲେ । ତାଙ୍କୁ ପରିଦର୍ଶନ କରାଇଥିଲେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ । ପ୍ରଦର୍ଶିତ ପ୍ୟାନେଲ୍ ଗୁଡ଼ିକରେ ସୁଭାଷ ବୋଷଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଯେମିତିକି ଶିକ୍ଷା – ଦୀକ୍ଷା, ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଯୋଗଦାନ, ସଶସ୍ତ୍ର ବିପ୍ଳବର ସମର୍ଥନ, କଂଗ୍ରେସ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ, ଗାନ୍ଧୀ ଏବଂ ନେହରୁଙ୍କ ସହ ମତଭେଦ, ଆଜାଦ ହିନ୍ଦ ଫୌଜ ଗଠନ, ବ୍ରିଟିଶମାନଙ୍କ ସହିତ ଯୁଦ୍ଧ ଇତ୍ୟାଦି । ଏଥିରୁ ଜାଣିହେଉଛି ଯେ, ସୁଭାଷ ଚନ୍ଦ୍ର ବୋଷ କିଭଳି ବିରାଟ ଦେଶଭକ୍ତ, ବିଦ୍ୱାନ୍, ସଂର୍ଘଷକାରୀ ନେତା, ଦାର୍ଶନିକ ଏବଂ ଆଧ୍ୟାତ୍ମିକତା ପ୍ରତି ଗଭୀର ରୁଚି ରଖୁଥିବା ମହାନ ବ୍ୟକ୍ତିତ୍ୱ ଥିଲେ । କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ପୂର୍ବତନ ଆବାହକ ବିଜୟାନନ୍ଦ ସିଂହଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ।