- ଜାନୁଆରୀ ୪ ଓ ୫ରେ ଯୁଗଯାତ୍ରୀ ସାହିିତ୍ୟ ସଂସଦର ରାଜ୍ୟ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ
ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଆସନ୍ତା ଜାନୁଆରୀ ୪ ଓ ୫ ଦୁଇଦିନ ଧରି ମହାସମାରୋହରେ ପାଳିତ ହେବ । ଏହି ଅବସରରେ ଯୁଗଯାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସାହିତ୍ୟ ସମ୍ମାନ ପାଇବାକୁ କବି ଭାରତ ମାଝୀ ମନୋନୀତ ହୋଇଛନ୍ତି । କବି ଭାରତ ମାଝୀ ସମକାଳର ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । କବିଙ୍କ କବିତା ପୁସ୍ତକ ଅଗାଧୁ ଦୁଆରୀ, ସରଳ ରେଖା, ମୂର୍ତ୍ତିକାର, ମହାନଗର ପଦ୍ୟ, ଭାରତ ମାଝୀ ଡ଼ଟ୍ କମ.ଢୋ, ହାଇୱେରେ କୁହଡ଼ି, ମାର୍ଫତ, ଫୁଟପାଥ୍ ଓ ମାଝୀ ଗୀତ ପ୍ରକାଶିତ ହେଇଥିବାବେଳେ ଅନୁବାଦ ପୁସ୍ତକ ଜୟନ୍ତ ମହାପାତ୍ରଙ୍କ ରିଲେସନସିପ୍(ସଂପର୍କ), ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ଅନ୍ୟ ଜୀବନର ସ୍ୱାଦ(ଉପନ୍ୟାସ), ଅଶ୍ୱିନୀ କୁମାରଙ୍କ ବନାରସ ଓ ଅର୍ଦସ(ବନାରସ ଓ ଅନ୍ୟମାନେ) ପୁସ୍ତକ ଓଡ଼ିଆ ସାହିତ୍ୟରେ ଖୁବ୍ ପ୍ରସିିଦ୍ଧି ଲାଭ କରିଛି । କଳାହାଣ୍ଡିରେ ଜନ୍ମିତ କବି ଭାରତ ମାଝୀ ସଂପ୍ରତି ଭୁବନେଶ୍ୱରେ ସାମ୍ବାଦିକତା କରିବା ସହିତ ସାହିତ୍ୟ ସାଧନା ଜାରି ରଖିଛନ୍ତି । ତେବେ ଆସନ୍ତା ଜାନୁଆରୀ ୪ ଓ ୫ ଦୁଇଦିନ ଧରି ହେବାକୁ ଥିବା ଏହି ରାଜ୍ୟ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ କବିଙ୍କୁ ସମ୍ମାନିତ କରାଯିବ ବୋଲି ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ର ଓ ସଂପାଦକ ହେମନ୍ତ ସାହୁ ସୂଚନା ପ୍ରଦାନ କରିଛନ୍ତି । ଏହି ମହୋତ୍ସବ ଅବସରରେ ଦିଆଯିବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଯୁବ ପ୍ରତିଭା ସମ୍ମାନ ଓ ସୁବର୍ଣ୍ଣ ଜୟନ୍ତୀ ନବ ପ୍ରତିଭା ସମ୍ମାନ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ସଂପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।