ବରଗଡ଼, (ନିରୋଜ କୁମାର ପାଣୀ) : ପୁଲ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସାହସୀ ସୁରକ୍ଷା କର୍ମୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ । ସହିଦ ଯବାନଙ୍କୁ ଦେଶ ଚିରଦିନ ପାଇଁ ମନେ ରଖିବ ଏବଂ ଋଣୀ ରହିବ ବୋଲି କହିବା ସହ ଆଜି ବରଗଡ଼ ମହିଳା ସମିତି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆତଙ୍କବାଦୀଙ୍କ ନିଷ୍ଠୁର ଯୋଜନାର ଉଚିତ୍ ଜବାବ ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ଦିଆଯାଇଥିଲା ଏବଂ ମାତୃଭୂମି ପାଇଁ ପ୍ରାଣବଳୀ ଦେବାର ଗୌରବ ଦେଶର ସୁରକ୍ଷା ପାଇଁ ସେନାର ରହିଥିବା ପ୍ରତିବଦ୍ଧତା ଭଳି ଦେଶର ବିକାଶ ପାଇଁ ଆଭ୍ୟନ୍ତରୀଣ ଶୃଙ୍ଖଳା ରକ୍ଷା ଓ ଦାୟିତ୍ୱର ସହ କର୍ତ୍ତବ୍ୟ ପାଳନ କରିବା ପ୍ରତିବଦ୍ଧତା ଆମର ରହିବା ଆବଶ୍ୟକ ବୋଲି ସଭାରେ ବକ୍ତାଗଣ ମତବ୍ୟକ୍ତ କରିଥିଲେ । ସମିତି ପକ୍ଷରୁ ପାଳିତ ପୁଲ୍ୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସମାରୋହରେ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ କରିଥିବା ଅବସରପ୍ରାପ୍ତ ସୈନିକ ସରୋଜ ମହାପାତ୍ରଙ୍କୁ ତଥା ସେନାରେ କାର୍ଯ୍ୟରତ ଦୁଇଜଣ ସୈନିକଙ୍କ ପତ୍ନୀ ତଥା ମହିଳା ସମିତିର ସଦସ୍ୟା ସୁଧାଂଶୁବାଳା ଦାସ ଓ ସୁଜାତା ପ୍ରଧାନଙ୍କୁ ସମିତି ପକ୍ଷରୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶ୍ରୀ ମହାପାତ୍ର ସୈନିକ ଜୀବନର ଅଙ୍ଗେନିଭା ରୋଚକ ଘଟଣାବଳୀ ବର୍ଣ୍ଣନା କରି ଦେଶମାତୃକାର ସେବା ଠୁଁ ବଳି ମହାନ୍ ସେବା କିଛି ନାହିଁ ଏବଂ ଜୀବନର ସେଇ ସାର୍ଥକତା ସୌଭାଗ୍ୟରେ ମିଳେ ବୋଲି ଦର୍ଶାଇଥିଲେ । ସମ୍ମାନିତ ଅତିଥି ସମିତିର ଉପଦେଷ୍ଟା ସମାଜସେବୀ ସର୍ଦ୍ଦାର ପ୍ରିତମ ସିଂ ଓ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର ଦିବସର ପ୍ରେରଣା ଉପରେ ବକ୍ତବ୍ୟ ରଖିଥିଲେ । ସମିତିର ସଭାନେତ୍ରୀ ହର୍ଜିନ୍ଦର୍ କୌର ସଭାପତିତ୍ୱ କରିଥଲେ ଏବଂ ବରିଷ୍ଠ ସଦସ୍ୟା ରାଧାରାଣୀ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସହିଦଙ୍କ ସ୍ମୃତିରେ ସୁଜାତା ପଣ୍ଡା ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଅଞ୍ଜନା ଦାସ, ରାଧାରାଣୀ ମିଶ୍ର ଓ ସସ୍ମିତା ପଟ୍ଟନାୟକ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ ଏବଂ ଶେଷରେ ସମ୍ପାଦିକା ଇନ୍ଦ୍ରାଣୀ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post