tur
shyamlal

ଅଦିନିଆ ବର୍ଷାରେ ଫସଲ କ୍ଷତି ହୋଇଥିଲେ ସହାୟତା ପ୍ରଦାନ କରାଯିବ : ଜିଲ୍ଲା ପ୍ରଶାସନ

ବାରିପଦା : ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ କ୍ଷତି ପୂରଣ ଦିଆଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ବାର୍ତ୍ତା ଦେଇ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ କୃଷକ ଫସଲ ବୀମା ପଂଜିକୃତ ଚାଷୀ ଯେଉଁ ମାନଙ୍କର ଅଦିନିଆ ବର୍ଷାରେ ଫସଲ ହାନି ହୋଇଛି ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ଏଥିନିମନ୍ତେ, କ୍ଷତିଗ୍ରସ୍ତ ଚାଷୀମାନେ ସ୍ଥାନୀୟ ଆର୍‌ଆଇ, ତହସିଲ କିମ୍ବା କୃଷି କାର୍ଯ୍ୟାଳୟରେ ସୂଚନା ଦେଲେ, ଏହାର ସତ୍ୟତା ତନଖିବା ପାଇଁ ଏକ ଯାଞ୍ଚ ଟିମ ଚାଷ ଜମିକୁ ଯାଇ ଯାଞ୍ଚ କରି ରିପୋର୍ଟ ମୁତାବକ ଏବଂ ସରକାରୀ ପ୍ରାବଧାନ ଅନୁଯାୟୀ ଚାଷ କ୍ଷତି ହୋଇଥିଲେ, ସରକାରଙ୍କ ପକ୍ଷରୁ କ୍ଷତି ପୂରଣ ଦିଆଯିବ । ସୂଚନାଥାଉଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମାନୁଯାୟୀ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯାଏ । ଯଦି ଅମଳ ହୋଇଥିବା ଫସଲ କ୍ଷେତରେ ବିଡା ବନ୍ଧା ଅବସ୍ଥାରେ କିମ୍ବା ଖଳାରେ ଶୁଖାଯାଇଥିବା ଅବସ୍ଥାରେ ଅମଳର ୧୪ ଦିନ ମଧ୍ୟରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି, ତେବେ ବୀମା ସହାୟତା ପ୍ରଦାନ ପାଇଁ ଚାଷୀମାନେ ଯୋଗ୍ୟ ଅଟନ୍ତି । ସୂଚନାଯୋଗ୍ୟ, ବିଗତ କିଛି ଦିନ ଧରି ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେଓଗଡ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ, ରାୟଗଡା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଏହି ଅଦିନିଆ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଅମଳ ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଉଛି । ଏହି ସମସ୍ତ ଜିଲ୍ଲାରେ ୧୫ ଲକ୍ଷରୁ ଅଧିକ ଚାଷୀ ଫସଲ ବୀମା ଯୋଜନାରେ ସେମାନଙ୍କ ଖରିଫ ଫସଲକୁ ପଞ୍ଜୀକୃତ କରିଛନ୍ତି । ଏଥିପାଇଁ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ” ପୋର୍ଟାଲ କିମ୍ବା “କୃଷି ରକ୍ଷକ ହେଲ୍ପଲାଇନ ନମ୍ବର” ୧୪୪୪୭ ରେ ସୂଚନା ଦେବାକୁ ଗଣମାଧ୍ୟମ ଜରିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଅଧିକ ସହାୟତା ପାଇଁ ନିକଟସ୍ଥ କୃଷି ଅଧିକାରୀ- ଭିଏଡବ୍ଲୁ, ବିଏଓ, ଡିଏଓ, ସିଡିଏଓ କିମ୍ବା ସମବାୟ ଅଧିକାରୀ- ସିଇଓ, ଏଆର୍‌ସିଏସ୍‌, ଡିଆର୍‌ସିଏସ୍‌ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.