ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ପଞ୍ଚାୟତ ବାଙ୍କେଲ ଗ୍ରାମକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରି ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ବୁଧବାର ତହସିଲଦାର ଓ କୃଷି ବିଭାଗର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ମୁତାବକ ତାଙ୍କ ଗ୍ରାମର ଚାଷୀମାନେ ଚଳିତ ଖରିଫ ଋତୁରେ ବର୍ଷା ଆଶାରେ ଚାଷବାସ ପାଇଁ ଜମି ପ୍ରସ୍ତୁତି କରିଥିଲେ । ଚାଷୀମାନେ ଧାନ ବୁଣା କରିବା ସହ ରୁଆ ପାଇଁ ପହ୍ଲା ପକାଇଥିଲେ । କିନ୍ତୁ ଆଉ ବର୍ଷା ସମ୍ପୂର୍ଣ୍ଣ ହେଲା ନାହିଁ ଫଳରେ ଚାଷୀଙ୍କ ବୁଣାଧାନ ଗଜା ନ ହେବା ସହ ପକାଇଥିବା ପହ୍ଲା ଆଉ ଜମିରେ ରୁଆ ହୋଇପାରିଲା ନାହିଁ । ଫଳରେ ଗ୍ରାମରେ ଚାଷବାସ କିଛି ନାହିଁ ଏଣୁ ଫସଲରେ ଲଗାଇଥିବା ଖର୍ଚ୍ଚ ମଧ୍ୟ ଚାଷୀମାନେ ତାହା ମଧ୍ୟ ପାଇପାରିବେ ନାହିଁ । ଏଣୁ ବାଙ୍କେଲ ଗ୍ରାମକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରି ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଦାବୀ କରିଛନ୍ତି । ଦାବିପତ୍ର ଗ୍ରହଣ କରି ତହସିଲଦାର ଜଗଦୀଶ କର୍ତ୍ତାମୀ ରାଜସ୍ୱ ନିରୀକ୍ଷକ ଓ କୃଷି ବିଭାଗର ମିଳିତ ତଦନ୍ତ ପରେ ମରୁଡି ପ୍ରଭାବିତ ଅଞ୍ଚଳରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ବାଙ୍କେଲ ଗ୍ରାମବାସୀ ବ୍ଲକ କୃଷି ବିଭାଗରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରି ତଦନ୍ତ ସହ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଗ୍ରାମର ଘନଶ୍ୟାମ ସାହୁ, ସୁରେଶ ଭୋଇ, ଧନସିଂ ବଗର୍ତ୍ତି, ସଞ୍ଜୟ ସାହୁ, ସତ୍ୟା ଭୋଇ, ଗୋପୀନାଥ ସାହୁ, ଜଳନ୍ଧର ସାହୁ, ଶମ୍ଭୁ ସାହୁ, ଦ୍ଵିତୀକୃଷ୍ଣ ସାହୁ ଓ ଯୁଗେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ମରୁଡି ଘୋଷଣା କରି ସରକାରୀ ସହାୟତା ଦାବୀ କରିଥିଲେ ।