ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ

ଆଠଗଡ଼ : ଆଠଗଡ଼ ବ୍ଲକର ୨୨ଟି ପଞ୍ଚାୟତ ଅଧିନରେ ଥିବା ସିଆରପି, ଏମ୍‌ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ମିଶନଶକ୍ତି ଜରିଆରେ ସମାନ ପୋଷାକ, ମୋବାଇଲ ଫୋନ ଓ ଗସ୍ତଖର୍ଚ୍ଚ ବାବଦ ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡ଼ିୟମରେ ରବିବାର ମଧ୍ୟାହ୍ନରେ ମିଶନଶକ୍ତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଶନଶକ୍ତି ବିଭାଗ ଜରିଆରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ମତବ୍ୟକ୍ତ କରିଥିଲେ । ମହିଳାମାନେ ସଶକ୍ତ, ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହୋଇ ପାରିଲେ ଦେଶର ପ୍ରକୃତ ବିକାଶ ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହି ଅବସରରେ ୨୧୩ ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କ ମିତ୍ରଙ୍କ ସମାନ ପୋଷାକ, ମୋବାଇଲ ଓ ଗସ୍ତଖର୍ଚ୍ଚ ବାବଦକୁ ୧୫ଲକ୍ଷ ୫୧ ହଜାର ଟଙ୍କା ପ୍ରଦାନ କରାଯିବା ସହ ୬୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦ଲକ୍ଷ ଟଙ୍କାର ଋଣ ଏବଂ ଦରମା ବାବଦକୁ ୩୨ଜଣ ସିଆର୍‌ପି, ଏମ୍‌ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ୪ଲକ୍ଷ ୩୨ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ମିନତୀ ଗାଗରାଇ, ବଳଭଦ୍ର ବାଘ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମିଶନଶକ୍ତି ସଂଯୋଜକ ଚିତ୍ତରଞ୍ଜନ ବଳିୟାରସିଂହ, ବ୍ଲକ ମିଶନଶକ୍ତି ସଂଯୋଜକ ପରେଶ କୁମାର ପୃଷ୍ଟି, ବିନୋଦ କୁମାର ପଣ୍ଡା ଓ ସଂଯୁକ୍ତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ୨୨ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.