ସମାଜ ସେବୀଙ୍କ ପ୍ରୟାସରେ ଦିବ୍ୟାଙ୍ଗ ପାଇଲେ ସରକାରୀ ସହାୟତା

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ଅଧିନସ୍ତ ଦେଉଳବାଡ଼ି ଗାଁର ଚଞ୍ଚଡା ସାହିର କାନ୍ଦୁ ଶ୍ୟାମଙ୍କ ଦୁଇ ପୁତ୍ର ମଧ୍ୟରୁ ବଡ ପୁଅ ସୁରେନ୍ଦ୍ର କାନ୍ଦୁ ଜନ୍ମରୁ ଦିବ୍ୟାଙ୍ଗ । ସୁରେନ୍ଦ୍ର ଖୁବ୍‌ ବୁଦ୍ଧିମାନ । ସେ ପଢ଼ିବାର ଆଗ୍ରହ ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସୂଚନା ଅନୁସାରେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟମାନଙ୍କ ପରି ଲେଖା ଲେଖି ଓ ପଢି ପାରନ୍ତି । ସେ ପାଟି ପଟୁ ଲେଖିପାରନ୍ତି । ସେ ଅନେକ ଗୀତ, କବିତା ଓ ଗପ ମଧ୍ୟ ଲେଖିଛନ୍ତି । ସେ ଆଗକୁ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ଅସୁବିଧା ହେତୁ ଆଗକୁ ପଢିପାରିଲେ ନାହିଁ । ଶେଷରେ ବାଧ୍ୟ୍ୟ ହୋଇ ଦୁଇ ପଇସା ରୋଜଗାର କରିବାର ଆଶାରେ ଏକ ଦୋକାନ କରିଥିଲେ । ତାହା ମଧ୍ୟ ବେଶି ଦିନ ଚାଲିଲା ନାହିଁ । ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଛଡା ଅନ୍ୟ କିଛି ମିଳୁନାହିଁ । ସରକାରଙ୍କର ରାସନ ମଧ୍ୟ ମିଳୁନଥିଲା । ତାଙ୍କୁ ମିଳିଥିବା ତିନି ଚକିଆ ଟ୍ରାଇ ସାଇକଲ ମଧ୍ୟ ଭାଙ୍ଗି ଯାଇଥିଲା । ଏହିପରି ଅନେକ ସମସ୍ୟାକୁ ନେଇ ଗତ କିଛିଦିନ ତଳେ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହି ଖବରକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ରାୟଗଡା ଜିଲ୍ଲାପାଳ, ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ, ପଞ୍ଚାୟତୀରାଜ ବିଭାଗ, କଲ୍ୟାଣସିଂହପୁର ବିଡ଼ିଓଙ୍କ ଦୃଷ୍ଟିଗୋଚର କରି ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । କଲ୍ୟାଣସିଂହପୁର ବିଡ଼ିଓଙ୍କ ନିର୍ଦେଶ କ୍ରମେ ପଞ୍ଚାୟତ ସ୍ତରରେ ତଦନ୍ତ କରି ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ତାଙ୍କୁ ମଧୁବାବୁ ପେନସନ ଯୋଜନାରେ ପାଞ୍ଚ ସହ ବଦଳରେ ମାସିକ ସାତ ସହ ଟଙ୍କା, ଗୋଟିଏ ତିନି ଚକିଆ ଟ୍ରାଇ ସାଇକଲ, ସିଏମ୍‌ଆର୍‌ଏଫ ପାଣ୍ଠିରୁ ୨୦ ହଜାର ଟଙ୍କା, ଭିନ୍ନକ୍ଷମ ଲୋନ୍‌ ୧୫ ହଜାର ଟଙ୍କା ଦିଆଯାଇଛି । ସେହିପରି ତାଙ୍କୁ ପଧାନ ମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ୨୦୧ ୮ ମସିହାରେ ଦିଆଯାଇଛି ବୋଲି ରାୟଗଡା ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସୁରେନ୍ଦ୍ରଙ୍କୁ ବିଭିନ୍ନ ପ୍ରକାର ସହାୟତା ମିଳିଥିବାରୁ ସେ ଖୁସି ଥିବା କହିଛନ୍ତି ଓ ସମାଜସେବୀଙ୍କ ଏହିପରି ପ୍ରୟାସକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.