ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସହାୟତା ଅପେକ୍ଷାରେ ଲମ୍ବୋଦର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ଆଜକୁ ବର୍ଷେ ହେବ ଲିଭର ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଲମ୍ବୋଦର । ଆଗକୁ ଚିକିତ୍ସା ହେବା ପାଇଁ ଆଉ ସାମର୍ଥ୍ୟ ନାହିଁ । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଯନ୍ତ୍ରଣା ଭୋଗୁଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲର ବାସିନ୍ଦା ଲମ୍ବୋଦର ଚିରାଙ୍ଗୁଲ । ତେବେ ନିଜର ଅଧିକ ଚିକିତ୍ସା କରାଇବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଲମ୍ବୋଦର । ତେବେ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ଝିଅ । ସ୍ତ୍ରୀ ଗୃହିଣୀ ହୋଇଥିବା ବେଳେ ଝିଅ ତୃତୀୟ ଶ୍ରେଣୀର ଛାତ୍ରୀ । ଲମ୍ବୋଦର ଠିକ ଥିଲା ବେଳେ ଦିନମଜୁରୀ ହିସାବରେ କାମ କରି ଯାହା ରୋଜଗାର ହୁଏ ସେଥିରେ ୩ ପ୍ରାଣୀର ସଂସାର ହସ ଖୁସିରେ ବିତି ଯାଉଥିଲା । ହେଲେ ବର୍ଷକ ତଳେ ହଠାତ ଲମ୍ବୋଦର ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ପେଟ ଦରଦ ସହ ଅଣ ନିଶ୍ୱାସୀ ଅନୁଭବ କରିବାରୁ ସ୍ଥାନୀୟ ଡାକ୍ତରଖାନାରେ ଯାଞ୍ଚ କରାଇଥିଲେ । ଯାଞ୍ଚ ପରେ ମଧ୍ୟ ଡାକ୍ତର ରୋଗ ଧରି ପାରିନଥିଲେ । ତେଣୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ପରେ କଟକ ଭୁବନେଶ୍ୱର ସ୍ଥିତ ବଡ଼ ଡ଼ାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇ ଥିଲେ । ସେଠାରେ ଯାଞ୍ଚ ରିପୋର୍ଟରେ ଲିଭର ଖରାପ ହୋଇଯାଇଥିବା ନେଇ ଡାକ୍ତର କହିଥିଲେ । ଯଥା ଶୀଘ୍ର ଜୀବନ ବଞ୍ଚାଇବା ପାଇଁ ଭଲ ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ କରିଥିଲେ । ଚିକିତ୍ସା ବାବଦରେ ବିଜୁ ସ୍ୱାସ୍ଥ୍ୟକାର୍ଡରେ ବର୍ତ୍ତମାନ ସୁଦ୍ଧା ବହୁ ଟଙ୍କା ଖର୍ଚ୍ଚ ହୋଇଗଲାଣି । ଦାମୀ ଔଷଧ ଏବଂ ଯିବା ଆସିବା ଭଳି ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ପ୍ରତି ସପ୍ତାହ ହଜାର ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ଦିନମଜୁରୀ କରି ଯାହାତକ ଟଙ୍କା ଝିଅର ଭବିଷ୍ୟତ ପାଇଁ ସମ୍ଭାଳି ରଖିଥିଲେ ସବୁ ସମାପ୍ତ ହୋଇ ସାରିଲାଣି ମେଡିକାଲ ଖର୍ଚ୍ଚ ଘରର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି । ଯଦି କିଛିଟା ସରକାରୀ ସହାୟତା ସହ କେହି ସହୃଦୟ ବ୍ୟକ୍ତି କିଛି ସାହାଯ୍ୟ କରିବେ ତେବେ ଲମ୍ବୋଦର ବଞ୍ଚିଯାଇ ପାରିବେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ତା’ ସହିତ ସରକାରୀୟ ସହାୟତା ଯୋଗାଇ ଦେବାକୁ ମଧ୍ୟ ନିବେଦନ କରିଛନ୍ତି ।

Leave A Reply

Your email address will not be published.