
- ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ ପାଇଁ ଜିଲ୍ଲାର ୯ ଜଣ ଦୁସ୍ଥ ବିଧବାଙ୍କୁ ୨୫୦୦୦/- ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସାମାଜିକ ଓ ଆର୍ଥିକସ୍ତରରେ ସଶକ୍ତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଦ୍ଵାରା ଜିଲ୍ଲାର ୯ ଜଣ ଦୁସ୍ଥ ବିଧବାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫୦୦୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆର୍ଥିକ ଥଇଥାନ ନିମନ୍ତେ ଓ ସାମାଜିକ ଜୀବନକୁ ସୁଦୃଢ ତଥା ସ୍ୱାବଲମ୍ବୀ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ଵାରା ସମସ୍ତ ହିତାଧୀକାରୀଙ୍କୁ ଚେକ୍ ମାଧ୍ୟମରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ଜିଲ୍ଲାର ସୋନପୁର ବ୍ଲକ, ବୀରମହାରାଜ ବ୍ଲକ, ତରଭା ବ୍ଲକ, ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦ ଅଞ୍ଚଳର ସହାୟତା ପାଇଥିବା ୯ ଜଣ ଦୁସ୍ଥ ବିଧବାମାନେ ହେଲେ ପଞ୍ଚମୀ ବାଗ, ଉତ୍ତମା ଛତ୍ରିଆ, ରଜନୀ ମହାନଦ, ଅନ୍ନପୂର୍ଣ୍ଣା ଛତ୍ରିଆ, ଖିର ବାଗ, ସୁବର୍ଣ୍ଣ ବିଭାର, ଠନ ସୁନ୍ଦରୀ କୁମ୍ଭାର, ଅହଲ୍ୟା ବାରିକ ଓ ସୁପ୍ରଭା ଜଗଦଲା । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ନିଜାରତ ଶାଖା ଅଧିକାରୀ ବିଶିକେସନ ପ୍ରଧାନ, ଜିଲ୍ଲା ଜରୁରୀ ଶାଖା ଅଧିକାରିଣୀ ସିୟନ୍ତୀକା ଶୁଭଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ ।