jayashree

ଭାରତୀଙ୍କୁ ମିଳିଲା ବିଏସ୍‌କେୱାଇ ସହାୟତା

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) କାର୍ଡ ଗରିବଙ୍କ ସାଥି ଓ ସାହାରା ସାଜିଛି । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ଅନନ୍ତପୁର ଗ୍ରାମର ମହିଳା ଭାରତୀ ଜେନା ଗୁରୁତର ରୋଗରେ ପୀଡ଼ିତ ହୋଇଥିବା ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବିଏସ୍‌କେୱାଇ ଟିମ୍‌ ତରଫରୁ ତାଙ୍କର ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ସ୍ଥିତି ଅନୁଧ୍ୟାନରୁ ଜଣା ପଡ଼ିଥିଲା ଯେ ୩୧ ବର୍ଷ ବୟସ୍କା ଭାରତୀ ଜେନା କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି । ଇତି ମଧ୍ୟରେ ତାଙ୍କର ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା ଆରମ୍ଭ କରାଯାଇଛି । ଭାରତୀଙ୍କୁ ୦୨୧୨୦୧୧୧୩୫୩ ନମ୍ବର କାର୍ଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ସାମିଲ କରାଯାଇଛି । ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଏହି କାର୍ଡ ମାଧ୍ୟମରେ ଭରଣା କରୁଛନ୍ତି । ବର୍ତ୍ତମାନ ଭାରତୀ କଟକ ଜିଲ୍ଲା ତେଲେଙ୍ଗାପେଣ୍ଠ ସ୍ଥିତ ପଣ୍ଡା କ୍ୟୁରି କ୍ୟାନସର ହସ୍ପିଟାଲରେ କେମୋଥେରାପି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ନେଉଛନ୍ତି । ସେ ଏହି ଦୂରାରୋଗରୁ ଆରୋଗ୍ୟ ଲାଭ କରିବେ ବୋଲି ତାଙ୍କର ପରିବାର ଓ ଆତ୍ମୀୟ ସ୍ଵଜନମାନେ ଆଶା ପ୍ରକାଶ କରିବା ସହ ବିପଦ ବେଳେ ସଠିକ ଭାବେ ବିଏସ୍‌କେୱାଇ ସାହାଯ୍ୟ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କର ଦୁଖକଥା ସକାରାତ୍ମକ ଭାବେ ଦୃଷ୍ଟିକୁ ଆଣିଥିବାରୁ ରାଜ୍ୟ ବିଏସ୍‌କେୱାଇ ଟିମ୍‌ ଗଣମାଧ୍ୟମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.