ଭୁବନେଶ୍ୱର : ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର ୧୦ ବର୍ଷୀୟ ବାଳିକା ଆରିକା ଫତିମାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଆଜିଠାରୁ ଚିକିତ୍ସା ନିମନ୍ତେ ସେ ଏହି ଯୋଜନାରୁ ସହାୟତା ପାଇବେ । ଆରିକାଙ୍କ ରୋଗ ବିଷୟ ଆଜି ଗଣମାଧ୍ୟମରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଂଯୋଜନାରେ ଜାଣିବା ମାତ୍ରେ ବିଏସ୍କେୱାଇ ଟିମ୍ ତରଫରୁ ମିଶନ ମୋଡରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
୫ଟି ଆଧାରିତ ସମୟ ଉପଯୋଗୀ ସେବା ଯୋଗାଣ ନୀତି ଅନୁଯାୟୀ ଆରିକାଙ୍କ ପରିବାରଙ୍କୁ ଠାବ କରାଯାଇ ଆଜି ଅପରାହ୍ନ ସୁଦ୍ଧା ଏହି ବାଳିକାଙ୍କୁ ବିଏସ୍କେୱାଇ ଅନ୍ତର୍ଭୁକ୍ତ କରାଯାଇଛି । ତାଙ୍କର କାର୍ଡ ନମ୍ବର ୩୦୨୦୩୬୧୧୨୫୨. ୱାର୍ଡ ନମ୍ବର -୨୧, ସୁନ୍ଦରଗଡ । ବର୍ତ୍ତମାନ ଆରିକା ବିଏସ୍କେୱାଇ ତାଲିକା ଅନ୍ତର୍ଭୁକ୍ତ ଯେ କୌଣସି ଘରୋଇ ହସ୍ପିଟାଲ୍ରେ ମାଗଣା ଚିକିତ୍ସା ପାଇ ପାରିବେ । ଗରିବ ବାଳିକାଟିର ଚିକିତ୍ସା ନିମନ୍ତେ ସରକାରଙ୍କ ଏତାଦୃଶ ତୁରନ୍ତ ପଦକ୍ଷେପ ପାଇଁ ସ୍ଥାନୀୟ ବାସିନ୍ଦା ସନ୍ତୋଷ ପ୍ରକାଶ କରିଛନ୍ତି । ବାଳିକାଙ୍କ ଦୁଃଖ କଥା ଦୃଷ୍ଟିକୁ ଆଣି ତାଙ୍କୁ ସହାୟତାରେ ସହଯୋଗ କରିଥିବାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଣମାଧ୍ୟମକୁ ଧନ୍ୟବାଦ ଦିଆଯାଇଛି ।