om academy

ଜଳ ଯାତନା ମଧ୍ୟରେ ଜୟପାଟଣା ସହର

jsm

ଜୟପାଟଣା, (ଶେଷଦେବ ବେହେରା) : ତିନି ଦଶନ୍ଧି ଧରି ଜଳ ପାଇଁ ସଙ୍ଘର୍ଷ କରିଆସିଥିବା ଜୟପାଟଣା ଅଞ୍ଚଳରେ ଆଜି ବି ଅନେକ ଅଞ୍ଚଳ ଶୋଷିଲା ରହିଛି । କ୍ରମାନ୍ୱୟରେ ଅନେକ ଯୋଜନା ଚାଲିଥିଲେ ମଧ୍ୟ ବର୍ଷ ବର୍ଷ ଧରି ପ୍ରଶାସନିକ ଛତ୍ରଛାୟା ତଳେ ରହି ଆସିଥିବା ସଂପୃକ୍ତ ଯନ୍ତ୍ରୀଙ୍କ ଖୋଲା ଖୋଲି ବିଭିନ୍ନ ଅନୀୟମିତତା ହେତୁ ଯୋଜନା ମାନଙ୍କର ସୁଫଳ ଲୋକଙ୍କ ପାଖକୁ ଆସିବା ପରିବର୍ତ୍ତେ ଅଧାରେ ଅଟକି ଯାଉଥିବା ଆଲୋଚନା ହେଉଛି । ବିଗତ ଦଶବର୍ଷ ମଧ୍ୟରେ ଜୟପାଟଣା ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ କୋଟି କୋଟି ଟଙ୍କାର ଖର୍ଚ୍ଚ ସାଙ୍ଗକୁ ପ୍ରକଳ୍ପ ମାନଙ୍କର ପଟ୍ଟ ପରିବର୍ତ୍ତନ ପରେ ମଧ୍ୟ ସଂପୃକ୍ତ ଯନ୍ତ୍ରୀଙ୍କ ମାତ୍ରାଧିକ ଅନିୟମିତତା ହେତୁ ଯୋଜନା ମାନଙ୍କର ସଫଳତା ଉପଭୋକ୍ତା ମାନଙ୍କ ପାଇଁ ଦୁର୍ଲ୍ଲଭ ହୋଇ ପଡ଼ୁଥିବା ଆଲୋଚନା ହେଉଛି । ପୂର୍ବରୁ ଦଶବର୍ଷ ଧରି ହାତୀନଦୀ ଗର୍ଭ କପୁର ମାଳ ନଦୀ ଘାଟ ନିକଟରୁ କାର୍ଯ୍ୟକ୍ଷମ ହୋଇ ଆସୁଥିବା ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଅଚଳ ଘୋଷଣା କରି ଖଇରମାଳ ଘାଟ ପାଖରେ ଆଉ ଏକ ପ୍ରକଳ୍ପ ତିଆରି କରାଗଲା । ବହୁ କୋଟି ଟଙ୍କା ଖର୍ଚ୍ଚରେ ତିଆରି ଚାଲିଥିବା ଏହି ପ୍ରକଳ୍ପ ସମୟରେ ଉପଭୋକ୍ତାଙ୍କୁ ଅନେକ ଆଶ୍ଵାସନା ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ ପାଲଟି ଗଲା । ସବୁଦିନ ପାଇଁ ସଂପୃକ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆଣି ଜୟପାଟଣା ସରପଞ୍ଚ ଓ ଅନ୍ୟାନ୍ୟ ପ୍ରତିନିଧି ମାନଙ୍କ ଦ୍ଵାରା ଅଭିଯୋଗ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ମଧ୍ୟ ଦିଆଗଲା । ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ପୁନର୍ବାର ବିଭାଗୀୟ ଛତ୍ରଛାୟା ଆରମ୍ଭ ହୋଇଗଲା । ଏବେ ପୁଣି ଗତ ଦୁଇବର୍ଷ ହେଲା କେନ୍ଦ୍ର ସରକାରଙ୍କ ସହାୟତାରେ ମଙ୍ଗଳପୁର ହାତୀ ବେରେଜ୍ ଠାରେ ସମଗ୍ର ବ୍ଲକ ପାଇଁ ୧୫୫.୩୩କୋଟି ଟଙ୍କା ବିନିମୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ଏହି ପ୍ରକଳ୍ପ ୫/୧/୨୦୨୨ମସିହାରୁ ଆରମ୍ଭ ହୋଇ ଦୁଇବର୍ଷ ଅବଧି ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାର କଥା, କିନ୍ତୁ ବର୍ତ୍ତମାନ ଅଧିକ ପାଞ୍ଚ ମାସ ବିତି ଯାଇଥିଲେ ମଧ୍ୟ ମାତ୍ର ଚାଳିଶ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଥିବା ଆଲୋଚନା ହେଉଛି । ଏହି କାର୍ଯ୍ୟଭାର ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଏବଂ ଭିତ୍ତିଭୂମି ଲିମିଟେଡକୁ ପ୍ରଦତ୍ତ କରାଯାଇଛି । ଏହି ପ୍ରକଳ୍ପ ମଧ୍ୟ ପୂର୍ଣ୍ଣାଙ୍ଗ ହେବାପାଇଁ ଆହୁରି ଦୁଇ ବର୍ଷର ସମୟ ନେଇପାରେ ବୋଲି ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିବାରେ ଲାଗିଲାଣି । ଏହି ଯୋଜନାକୁ ସମସ୍ତେ ଅନାଇ ବସିଥିବା ବେଳେ କେନ୍ଦ୍ର ସରକାରଙ୍କ ଉଚ୍ଚ ଆକାଂକ୍ଷା ରହି ଆସିଥିବା ଏହି ପ୍ରକଳ୍ପର ଆଶୁ ପୂର୍ଣ୍ଣାଙ୍ଗ ପାଇଁ ନୂଆ ସରକାର ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.