ବିଭିନ୍ନ ସମସ୍ୟାକୁ ନେଇ ପାଟଦରା ଗସ୍ତରେ ସାହାଯ୍ୟ ସେନାର ଆବାହକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଁସାଦାନି ଗ୍ରାମପଞ୍ଚାୟତର ଲାଲଗଡ଼ କୁହାଯାଉଥିବା ଦୁର୍ଗମ ଅଞ୍ଚଳ ପାଟଧରା ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସାହାଯ୍ୟ ସେନାର ଆବାହକ ବେଣୁଧର ଜଗତ ପାଟଦରା ଅଞ୍ଚଳକୁ ଗସ୍ତ କରିଥିଲେ । ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଉଛତାରେ ଏହି ଗ୍ରାମ ରହିଥିବା ବେଳେ ଏହି ଅଞ୍ଚଳରେ ପ୍ରାୟ ୪ ହଜାର ଆଦିବାସୀ ଲୋକ ବାସ କରନ୍ତି । ତାଙ୍କର ମୁଖ୍ୟ ଜୀବନ ଜୀବିକା କହିଲେ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ମହୁଲ, ହରଡା, ବାହାଡା ଚାଂହାର ଓ କିଛି ମାତ୍ରାରେ ଧାନ ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରନ୍ତି । ଏଠିକାର ସମସ୍ୟା କହିଲେ ଅନେକ ସମସ୍ୟା ରହିଅଛି । ଗ୍ରାମବାସୀଙ୍କ କହିବା ଅନୁସାରେ ନା ଅଛି ପିଇବା ପାଣିର ସୁବିଧା, ନା ଅଛି  ବିଜୁଳିର ସୁବିଧା । ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପାଟଦରା ପାଇଁ ଏହା ସାତସପାନ ହୋଇ ପଡ଼ିଛି ।

ଯାହା କିଛି ସରକାରୀ ଅନୁଦାନ ଆସୁଛି ତାହା ମଧ୍ୟ ବାଟମାରଣା ହେଉଥିବା ଆଦିବାସୀ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଜଙ୍ଗଲ ଜାତ ଦ୍ରବ୍ୟ ପାଇଁ ଦଲାଲ ହାତରେ ପଡ଼ି ଲୋକଙ୍କୁ ହନ୍ତ ସନ୍ତ ହେବାକୁ ପଡୁଥିବା ବେଳେ ବର୍ତମାନ ବଜାରରେ ମହୁଲ ୪୫ ଟଙ୍କା କିଲୋ ପ୍ରତି ଥିବା ବେଳେ ମାତ୍ର ୩୦ ଟଙ୍କାରେ କିଲୋ ପ୍ରତି ଦଲାଲ ମାନେ କିଣୁଛନ୍ତି । ଏହି ଗ୍ରାମରେ ବିଜୁଳି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୌର ଶକ୍ତି ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଜୁଳି ଯୋଗାଇ ଦିଆଯାଇଛି । ତାହା ମଧ୍ୟ ଅଚଳ ଅବସ୍ଥାରେ ପଡ଼ିରହିଛି ।

ପିଇବା ପାଣି କହିଲେ ନସରେ । ସ୍ଵାଧୀନତା ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କର ଭରସା ଏକ ମାତ୍ର ନାଳ । ହଜାର ହଜାର ଲୋକ ଏହି ନାଳର ପାଣିକୁ ପିଇ ଜୀବନ ବଞ୍ଚାଉଛନ୍ତି ଓ ଅନେକ ରୋଗରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି, ଏହି ସବୁ ସମସ୍ୟାକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଲୋକଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ସାହାଯ୍ୟ ସେନାର ଆବାହକ ଆଲୋଚନା କରିଛନ୍ତି ।

ଆଗାମୀ ଦିନରେ ଏହି ସବୁ ସମସ୍ୟାର ସମାଧାନ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ସାହାଯ୍ୟ ସେନା ଆବାହକ ଓ ସଂପୃକ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.