centurian jitm

ବେଲପଡ଼ା ଆଦିବାସୀ କର୍ମଚାରୀ ସଂଘ ତରଫରୁ କମଳ ବରିହାଙ୍କୁ ଆର୍ଥିକ ସହଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରତ୍ୟେକ ମଣିଷ ଭିତରେ ରହିଛି ଅନେକ ସ୍ୱପ୍ନ । ସ୍ୱପ୍ନକୁ ସାକାର କରିବା ପାଇଁ ଦୃଢ ମନୋବଳ, ଇଚ୍ଛା ଶକ୍ତି ଓ ବାରମ୍ବାର ପରିଶ୍ରମ ହିଁ ମଣିଷର ସଫଳତାକୁ ଆଗକୁ ନେଇଥାଏ । କିନ୍ତୁ ଏମିତି ବି ଅଘଟଣ ଆସେ ଇଚ୍ଛା ଶକ୍ତି ଥାଇ ବି ମଣିଷର ଆଗରେ ହାର ମାନେ ଆର୍ଥିକ ପରିସ୍ଥିତି ଓ ଘରୋଇ ସମସ୍ୟା କିନ୍ତୁ ସେହି ଆର୍ଥିକ କଣ୍ଟାକୁ ବି ଏଡେଇ ଦେଇ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଆଦିବାସୀ ସମାଜର ଟେକ ଏବଂ ଅନୁନ୍ନତ ଅଂଚଳକୁ ଉନ୍ନତ କରିବାର ସ୍ୱପ୍ନ ଦୁଃଖ ଜଞ୍ଜାଳ ଗରିବୀର ତାଡନାରେ ଜର୍ଜରିତ ହୋଇ ଭୋକ ଉପାସରେ ଦିନ ରାତି ପରିଶ୍ରମ କରି ଦିନେ ହାକିମ ହେବାର ସ୍ୱପ୍ନ ଆଜି ଦୋହଲାଇ ଦେଇଛି । ପ୍ରତ୍ୟେକ ମାଆ ବାପା ପରିବାରର ସ୍ୱପ୍ନ ଥାଏ ପିଲା ପାଠ ପଢି ଚାକିରୀ କରିବ ଦିପଇସା ରୋଜଗାର କରି ପରିବାରକୁ ସୁଖ ଶାନ୍ତିରେ ରଖିବ ଏଭଳି ମନୋଭାବ ରଖିଥିଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନୁନ୍ନତ ଘୁନସର ଗ୍ରାମପଞ୍ଚାୟତ ଅଧୀନ ସାନବାଞ୍ଜିପାଲି ଗ୍ରାମର କମଳ ବରିହାଙ୍କର ପରିବାର ବର୍ଗ କିନ୍ତୁ କେଉଁଠି ଥିଲା ସେହି କଳାମେଘିଆ ମେଘ ହଠାତ୍‌ ସେହି ସିଭିଲ ସର୍ଭିସ(IAS) ହେବାର ଅସୁମାରୀ ସ୍ୱପ୍ନକୁ ପେଟ ଯନ୍ତ୍ରଣା ରୋଗରେ ଗ୍ରାସିତ କରି ଯୁବ ପ୍ରତିଭା ଆଦିବାସୀ ଯୁବକ ପରିଶ୍ରମି କମଲ ବରିହାଙ୍କୁ ଦୁର୍ବଳ କରି ବୃଦ୍ଧ ଲୋକଙ୍କ ଭଳିଆ ଖଟରେ ପକେଇ ଦେଇଥିବାରୁ ସରଳ ମାତାପିତା ଏବଂ ଦିବ୍ୟାଙ୍ଗ ଭାଇ ଘୋର ଚିନ୍ତାରେ ରହିଛନ୍ତି । କମଳ ହିଁ ଏକମାତ୍ର ରୋଜଗାରିଆ ପିଲା ଥିଲେ ସେହି ଅଭାବ ଅନାଟନ ପରିବାର ଭିତରେ ଯେଉଁଦିନ ଠାରୁ କମଳ ପେଟ ଯନ୍ତ୍ରଣା ରୋଗରେ ପୀଡିତ ହେଲେ ସେହି ଦିନଠାରୁ ପରିବାରରେ ଜଳୁନି ଚୁଳି କି ପାଟିକୁ ଯାଉନି ଅନ୍ନ । ସମସ୍ତେ ମୁହଁକୁ ମୁହଁ ଚାତକପରି ଚାହିଁ ବସିଛନ୍ତି ଓ ସରକାରଙ୍କୁ ପୁଅର ଚିକିତ୍ସା ଖର୍ଚ୍ଚ ପାଇଁ ମାଆ ଆକୁଳ ନିବେଦନ କରୁଛନ୍ତି । ପିଲାର ଅପରେସନ ସଫଳ ହେବା ପାଇଁ କମଳର ମାଆ ବାପା ଯାହା ଥିଲା ଜମିବାଡ଼ି ବିକ୍ରି କରି ପୁଅର ଚିକିତ୍ସା କରାଇଥିଲେ । କିନ୍ତୁ ଅପରେସନ ବାରମ୍ବାର ଅସଫଳ ଏବଂ ଆର୍ଥିକ ଅସୁବିଧା ହେତୁ ସେ ବର୍ତ୍ତମାନ ନିଜ ଗାଁ ସାନବାଞ୍ଜିପାଲିରେ ସେହି ପେଟ ଯନ୍ତ୍ରଣା ରୋଗ ସହିତ ଲଢେଇ କରୁଛନ୍ତି । ବିଭିନ୍ନ ସୋସିଆଲ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ ମିଡ଼ିଆରେ ଖବର ପ୍ରସାରିତ ହେବାରୁ ଆଜି ବେଲପଡା ବ୍ଲକ ଆଦିବାସୀ କର୍ମଚାରୀ ସଂଘର ପାଞ୍ଚ ଜଣିଆ ଟିମ୍‌ କମଳ ବରିହାଙ୍କ ଘରକୁ ଯାଇ ଚିକିତ୍ସା ପାଇଁ ୧୩ ହଜାର ଟଙ୍କା ଆର୍ଥିକ ସହଯୋଗ ସହ କମଳଙ୍କ ମାଆଙ୍କୁ ଶାଢ଼ୀ ଏବଂ ବାପାଙ୍କୁ ଲୁଙ୍ଗି ପ୍ରଦାନ କରିଥିଲେ । ବେଲପଡ଼ା ବ୍ଲକ ଆଦିବାସୀ କର୍ମଚାରୀ ସଂଘଙ୍କର ଏପରି ମହତ୍ କାର୍ଯ୍ୟକୁ ଅଞ୍ଚଳ ତଥା ବିଭିନ୍ନ ମାହୋଲରେ ପ୍ରଶଂସା କରାଯାଇଛି । ଆଦିବାସୀ କର୍ମଚାରୀ ସଂଘର ଆବାହକ ଭୁପାଲ ସିଂ ମାଝୀ, ସହସଂପାଦକ ଗୁରୁବାରୁ ଧରୁଆ, ସମ୍ପାଦକ ଯୁଧିଷ୍ଠିର ବର୍ଗେ, ସଦସ୍ୟ କ୍ଷମାସାଗର ମାଝୀ, ସଦସ୍ୟ ଅନୁଜ ସିଂ ମାଝୀ, ପ୍ରମୁଖ ଉପସ୍ଥିତ ରହି ପୀଡିତ ପରିବାର ବର୍ଗଙ୍କୁ ସାକ୍ଷାତ କରି ଆଗାମୀ ଦିନରେ ପୁଣି ସାହାଯ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ସଂଘ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

Leave A Reply

Your email address will not be published.