sss
lll

ମେଧାବୀ ଛାତ୍ରଙ୍କୁ ପାଠପଢାରେ ସହଯୋଗ କଲେ ଯୁବଚାଷୀ ଅଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଚଷା ଲକ୍ଷେ ଜୀବ ପୋଷା, ଏହାର ଅର୍ଥ ଯିଏ ଚାଷ କରେ କୀଟପତଙ୍ଗ ଠାରୁ ଆରମ୍ଭ କରି ବିଭିନ୍ନ ଜୀବଜନ୍ତୁ, ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଆହାର ଯୋଗାଇଥାଏ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜାମଖାର ଗାଁରେ ଏପରି ଏକ ଯୁବଚାଷୀ ଅଛନ୍ତି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ତ୍ତମାନ ଯୁବପିଢ଼ି ଚାକିରି ଆଶାରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇ ହଇରାଣ ହେଉଥିବା ବେଳେ ଏହି ଯୁବକଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ଯୁବ ଚାଷୀ ଅଜିତ କୁମାର ବିଶ୍ୱାଳ ନିଜ ଗାଆଁରେ ଗୋଟିଏ ବଡ଼ ଫାର୍ମ କରିଛନ୍ତି । ଯେଉଁଥିରେ ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ଫଳଚାଷ କରି ବିଭିନ୍ନ ସ୍ଥାନରେ ସମ୍ମାନିତ ହେବା ସହିତ ଆଗ ଧାଡ଼ିର ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ତାଙ୍କ ଫାର୍ମ ଦେଖିବା ତଥା ଚାଷ ପ୍ରଣାଳୀ ବୁଝିବା ପାଇଁ ବରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ଜାମଖାର ଗାଆଁକୁ ଗସ୍ତ କରିସାରିଛନ୍ତି । ଏହା ସହିତ ପଡୋଶୀ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଅଜିତଙ୍କ ଚାଷ ପ୍ରଣାଳୀରେ ଅନୁପ୍ରାଣିତ ହୋଇ ବିଶ୍ୱାଳ ଫାର୍ମୀଂ ପରିଦର୍ଶନ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଅଜିତ ଅତ୍ୟାଧୁନିକ ଜ୍ଞାନ କୌଶଳରେ ବିଭିନ୍ନ ଚାରାକୁ କଲମି କରି ସୁଳଭ ମୂଳରେ ବିକ୍ରୀ କରିଥାନ୍ତି । ଏହା ସହିତ ଯୁବପିଢ଼ି ଫଳଚାଷ ପ୍ରତି କିପରି ଆକୃଷ୍ଟ ହେବେ ଏବଂ ନିଜେ ସ୍ୱାବଳମ୍ବି ହୋଇପାରିବେ ସେଥିପାଇଁ ମାଗଣାରେ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି । ବିଶ୍ୱାଳ ଫାର୍ମୀଂ ନାମରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ କରି ଚାଷ ପ୍ରଣାଳୀ ଉପରେ ଲୋକଙ୍କୁ ଜଣାଇବା ପାଇଁ ପ୍ରୟାସ କରିଥାନ୍ତି ଅଜିତ । ଅଞ୍ଚଳର ଲୋକଙ୍କ କହିବା ଅନୁସାରେ ଅଜିତ ବିଶ୍ୱାଳ ହେଉଛନ୍ତି ଜଣେ ପରୋପକାରୀ ବ୍ୟକ୍ତି, କିନ୍ତୁ ପରଦା ପଛରେ ରହି ଲୋକଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି । ନିକଟରେ ଝାରବନ୍ଧ ବ୍ଲକ ଡଭା ଅଞ୍ଚଳର ଗୋଟିଏ ଗରିବ ଶ୍ରେଣୀର ମେଧାବୀ ଛାତ୍ର ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ଅଜିତଙ୍କ ନଜରକୁ କୌଣସି ସୂତ୍ରରୁ ଆସିଥିଲା । ସଙ୍ଗେ ସଙ୍ଗେ ଅଜିତ ଉକ୍ତ ମେଧାବୀ ଛାତ୍ର ପାଇଁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଯୁବ ଚାଷୀଙ୍କ ଉଦ୍ୟମ ଏବଂ ସେବା ଭାବନା ପ୍ରଶଂସନୀୟ ଅଟେ ।

Leave A Reply

Your email address will not be published.