
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷାଦାନ ସହ ତାଙ୍କର ସର୍ବାଙ୍ଗୀନ ବିକାଶ ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଫଳ ସ୍ୱରୂପ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ତନ୍ମୟୀ ପ୍ରିୟଦର୍ଶିନୀ ସାହୁ ୯୭.୪ ପ୍ରତିଶତ ମାର୍କ ହାସଲ କରି ଟିଟିଲାଗଡ଼ ସହରରେ ପ୍ରଥମ ସ୍ଥାନ ଆକ୍ତିଆର କରିଛନ୍ତି । ସେହିପରି ଯୁକ୍ତ ଦୁଇ ପରୀକ୍ଷାରେ ପ୍ରତିଜ୍ଞା ନାୟକ ୯୨ ପ୍ରତିଶତ ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି । ଯାହାକି ଅଭିଭାବକ, ସ୍କୁଲ ତଥା ସହର ପାଇଁ ଗର୍ବର ବିଷୟ ପାଲଟିଛି । ବୁଧବାର ଦିନ ଏହି କୃତିତ୍ୱ ଅର୍ଜନ କରିଥିବା ଦୁଇଛାତ୍ରୀଙ୍କୁ ସ୍କୁଲ ମେନେଜିଂ ଟ୍ରଷ୍ଟି ଶ୍ୟାମଲତା ଅଗ୍ରୱାଲ ତଥା ଶିକ୍ଷକଶିକ୍ଷୟିତ୍ରୀମାନେ ଉଭୟଙ୍କୁ ବିଜୟ ତିଲକ ଲଗାଇ ମିଷ୍ଟାନ୍ନ ଖୁଆଇ ଖୁସି ମନାଇଥିଲେ । ଏହି ଅବସରରେ କୃତି ଛାତ୍ରୀଙ୍କ ଅଭିଭାବକମାନେ ମଧ୍ୟ ଏହି ସଫଳତା ହାସଲ ପାଇଁ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି, ଡାଇରେକ୍ଟର ଏଡ୍ମିନ୍ ଧରିତ୍ରୀ ମହାନ୍ତି, ସ୍କୁଲ ଉପାଧ୍ୟକ୍ଷ ପିତାମ୍ବର ଶର୍ମା ଏବଂ ସ୍କୁଲର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।