
ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ନର୍ଥ ଇଣ୍ଡିଆ କରାଟେ ଚମ୍ପିୟାନସିପ ରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କୁ ସଫଳତା ମିଳିଛି । ସ୍କୁଲର ୪ ପ୍ରତିଯୋଗୀ ଏଥିରେ ଭାଗ ନେଇ ୨ ସ୍ଵର୍ଣ୍ଣ ସମେତ ୭ ପଦକ ହାସଲ କରିଛନ୍ତି । ସୂଚନା ଅନୁଯାୟୀ, ନର୍ଥ ଇଣ୍ଡିଆ କରାଟେ ଏସୋସିଏସନ୍ ପକ୍ଷରୁ ଉତ୍ତରପ୍ରଦେଶ ଗାଜିଆବାଦ ଜିବି ନଗର ସ୍ଥିତ ଈଶ୍ୱର ଚାନ୍ଦ ଇଣ୍ଟର କଲେଜ କ୍ୟାମ୍ପସରେ ଚଳିତ ମାସ ୨୩ ଓ ୨୪ରେ କରାଟେ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା । ଏଥିରେ ୫ରୁ ୧୫ ବର୍ଷର ପ୍ରତିଯୋଗୀ ଭାଗ ନେଇ ଥିବା ବେଳେ ସାରା ଦେଶରୁ ୩୪୫ ଜଣଙ୍କ ମଧ୍ୟରୁ ଏହି ସ୍କୁଲରୁ ୪ ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ । କରାଟେ କୋଚ ଅଲେଖ ଛତରଙ୍କ ତତ୍ତ୍ଵାବଧାନରେ ଅର୍ମନ ବାରିକ ( ଷଷ୍ଠ ), ଆରୋନ ଈଶ୍ୱର ପାଣି(ଚତୁର୍ଥ), ଆୟୁଷ୍ମାନ ବାରିକ(ତୃତୀୟ) ଓ ଅପ୍ରତା ଯୋଏଲ୍ (ଚତୁର୍ଥ) ଛାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଅର୍ମନ ୧୨ ବର୍ଷ ବର୍ଗରେ ସ୍ଵର୍ଣ୍ଣ (କାଟା), ରୌପ୍ୟ ( କୁମିତେରେ) , ଆରୋନ ୯ ବର୍ଷ ବର୍ଗରେ ସ୍ଵର୍ଣ୍ଣ (କୁମିତେରେ) ଓ ବ୍ରୋଞ୍ (କାଟା), ଅପ୍ରତା (କାଟା ଓ କୁମିତେରେ) ରେ ବ୍ରୋଞ୍ଜ ଓ ଆୟୁଷ୍ମାନ ବ୍ରୋଞ୍ଜ (କାଟା) ପଦକ ହାସଲ କରି ସ୍କୁଲ ସମେତ ବ୍ଲକ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏନେଇ ବେଥାନୀ କନଭେଣ୍ଟ ସ୍କୁଲ ପ୍ରିନ୍ସିପାଲ ସିଷ୍ଟର ମଞ୍ଜୁଳା ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଓ ଛାତ୍ରଛାତ୍ରୀମାନେ କୋଚ ସମେତ ୪ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଅଭିଭାବକ ମହଲରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି ।