ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଆଦର୍ଶ ବିଦ୍ୟାଳୟର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମୁଖ୍ୟ)ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତି । ଓଡିଶା ଆଦର୍ଶ ବିଦ୍ୟାଳୟର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହିତ ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପରିଚାଳକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡିଶା ଆଦର୍ଶ ବିଦ୍ୟାଳୟ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ ତଥା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାକୁ ଦ୍ୱିଗୁଣିତ କରିଛି ବୋଲି ଉଲ୍ଲେଖ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଏହି ସଫଳତା ପାଇଁ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ, ୫ଟି ସଚିବ ଭିକେ ପାଣ୍ଡିଆନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥି ଏସ୍‌ ଅଭିନନ୍ଦନ ଜଣାଇଛନ୍ତି ।

ଏହି ପରୀକ୍ଷାରେ ୩୫ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ୧୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପରୀକ୍ଷା ଫଳ ଖୁବ ଉତ୍ସାହ ଜନକ ବୋଲି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଜଣାଇଛନ୍ତି । ୨୦୨୨ରେ ୧୨ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ ।

Leave A Reply

Your email address will not be published.