jayashree

ସାଧୁତା ଓ ନମ୍ରତା ହିଁ ଶିଷ୍ୟର ଶ୍ରେଷ୍ଠ ଆୟୁଧ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ତ୍ତମାନ ସମାଜରେ ଭଲ ମଣିଷର ଘୋର ଅଭାବ ପରିଲକ୍ଷିତ ହେଉଛି । ଭଲ ମଣିଷ ହେବାରେ ପ୍ରତ୍ୟେକ ଛାତ୍ରଛାତ୍ରୀର ସାଧୁତା ଓ ନମ୍ରତା ହିଁ ମହାନ୍ ଗୁଣ ।ଗୋଟିଏ ଶିଷ୍ୟ ବା ଶିଷ୍ୟା ବାଲ୍ୟକାଳରୁ ସାଧୁତା, ନମ୍ରତା ଓ ସଚ୍ଚୋଟତା ଆଦି ଗୁଣାବଳୀକୁ ଆପଣେଇ ଜୀବନକୁ ଗଢିତୋଳିଲେ ଭବିଷ୍ୟତ ସମାଜରେ ଆଉ ଭଲ ମଣିଷର ଅଭାବ ରହିବ ନାହିଁ ଓ ତଦ୍‌ନୁଯାୟୀ ଶିକ୍ଷକ ନୁହଁନ୍ତି ବରଂ ଗୁର ଗୁରୁଜନ, ପିତା ମାତା ଓ ଅଭିଭାବକଙ୍କ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କର ଗୁରୁ ଦାୟିତ୍ୱ ର‌ହିଛି ବୋଲି ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିହୁଙ୍କା ଶିଶୁଆପଡାର ବରିଷ୍ଠ ଆଦର୍ଶ ଶିକ୍ଷକ ମହେଶ୍ୱର ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଓ ବାର୍ଷିକ ଉତ୍ସବରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ରୁଦ୍ର ପ୍ରତାପ ମହାରଥି, ମୁଖ୍ୟବକ୍ତା ଚଉଦ ମୌଜା ବିଦ୍ୟୁତ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସୌଦାମିନୀ ପାଇକରାୟ, ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, କୃଷକ ନେତା ତଥା ସମାଜସେବୀ ଅଶୋକ ପ୍ରଧାନ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ସାହୁ, ସରପଞ୍ଚ ଗୋବର୍ଦ୍ଧନ ସେଠୀ, ସମିତି ସଭ୍ୟ ସୁଶାନ୍ତ କୁମାର ଦାଶ, ସିଆର୍‌ସିସି କୃତିବାସ ପରିଡ଼ା, ଶିକ୍ଷାବିତ୍ ବାମନ ବୈରୀଗଞ୍ଜନ, ସମାଜ ସେବୀ ସଞ୍ଜୟ ଜେନା, ନମିତା ଜେନା ପ୍ରମୁଖ ଯୋଗଦେଇ ଅବସର ନେଉଥିବା ଶିକ୍ଷକ ଶ୍ରୀ ପ୍ରଧାନଙ୍କର ଗୁଣଗାନ କରିବା ସହ ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଓ ଅନ୍ୟ ମହାପୁରୁଷଙ୍କ ଉଦାହରଣର ଅବତରଣ କରି ସାଧୁତା ଓ ନମ୍ରତା ପ୍ରତିଟି ମଣିଷର ଶ୍ରେଷ୍ଠ ମାନବୀୟ ଗୁଣ ବୋଲି କହିଥିଲେ । ସଭାରେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ । ସୁନ୍ଦର ଭାବେ ମଞ୍ଚ ସଂଯୋଜନା ଓ ସୁପରିଚାଳନା କରିଥିଲେ ସମାଜସେବୀ ଅଜୟ ମାନ୍ଧାତା ଓ ରାଜ୍ୟ ଶିକ୍ଷକ ସଂଘ ନେତା ପବିତ୍ର ମୋହନ ଜେନା । କମିଟି ସଭାପତି ଗଣେଶ ମହାରଣା, ପ୍ରଫୁଲ୍ଲ ଜେନା, ବେଣୁଧର ମଙ୍ଗରାଜ, ପ୍ରସନ୍ନ ଜେନା, ଶିକ୍ଷୟିତ୍ରୀ ପ୍ରଜ୍ଞା ପ୍ରଣମିତା ବିଶ୍ବାଳ, ସୁଧାଂଶୁବାଳା ପ୍ରଧାନ, ସରୋଜିନୀ ଜେନା, ଗାୟତ୍ରୀ ସାହୁ, ରାଜଲକ୍ଷ୍ମୀ ରାଉତ ରାୟ, ଗଦାଧର ପାଣି, କମିଟି ସଭ୍ୟ ସଭ୍ୟା ଓ ବାଲିହୁଙ୍କା -ଶିଶୁଆପଡା ଗ୍ରାମବାସୀଙ୍କ ସମ୍ମିଳିତ ସହଯୋଗରେ ଉତ୍ସବଟି ସୂଚାରୁ ରୂପେ ସମାହିତ ହୋଇଥିଲା । ଛାତ୍ର ବିଶ୍ବଜିତ୍ ଲେଙ୍କାଙ୍କ ହନୁମାନ ନୃତ୍ୟ ପରିବେଷଣରେ ମୁଗ୍ଧ ହୋଇ ବିଧାୟକ, ମୁଖ୍ୟବକ୍ତା ଓ ଶିକ୍ଷୟିତ୍ରୀ ଗୋଲାପ ଦେଇ ପୁରସ୍କୃତ କରିଥିଲେ । ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ଲକ୍ଷ୍ମୀପ୍ରିୟା ମାର୍ଥା, ସୁବାସିନୀ ଅରିସଲ, ପ୍ରୀତି ପ୍ରଜ୍ଞା ଛୁଆଳ ସିଂ, ସଂସ୍କାର ଜେନା, ଶୁଭ ଲକ୍ଷ୍ମୀ ମହାନ୍ତି ଓ ଅନ୍ୟମାନଙ୍କ ସହ ବୁଦ୍ଧିଜୀବୀ ଧନୁର୍ଦ୍ଧର ଜେନାଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ ଓ ସମ୍ମାନିତ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ତରଫରୁ ଶ୍ରୀ ପ୍ରଧାନଙ୍କୁ ଉତ୍ତରୀୟ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ଅପୂର୍ବ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତେ ଗୁରୁଜୀ ଶ୍ରୀ ପ୍ରଧାନଙ୍କ ସୁଗୁଣ ଗାନ କରି ସୁସ୍ଥ ଜୀବନ କାମନା କରିଥିଲେ । ଛାତ୍ର ଛାତ୍ରୀମାନେ ସ୍ୱାଗତ ଓ ବିଦାୟ ସଙ୍ଗୀତ ଗାନ କରିଥିଲେ । ଉତ୍ସବରେ ଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତରାୟ, ଗୋପାଳ ମହାପାତ୍ର, ତୁଷାର ପ୍ରଧାନ ଅଭୟ ଚରଣ ସାହୁ, ଅଶୋକ ପ୍ରଧାନ, ଶିକ୍ଷୟିତ୍ରୀ ବିଳାସିନୀ ଆଚାର୍ଯ୍ୟ, ସଚିବାଳା ପ୍ରଧାନ, ସରୋଜିନୀ ଜେନାଙ୍କ ସହ ଅନ୍ୟମାନେ ଉତ୍ସବରେ ଉପସ୍ଥିତ ରହି ଉତ୍ସାହିତ କରି ଶ୍ରୀ ପ୍ରଧାନଙ୍କର ଅମାୟିକ ଓ ସରଳ ବ୍ୟବହାର ଉପରେ ଆଲୋକପାତ ପୂର୍ବକ ଈଶ୍ୱରଙ୍କ ପାଖରେ ତାଙ୍କର ନିରାମୟ ଜୀବନ କାମନା ଥିଲେ । ପ୍ରାକ୍ତନ କମିଟି ଅଧ୍ୟକ୍ଷ ଅଜୟ ମାନ୍ଧାତା ଅତିଥି ପରିଚୟ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା ସହଯୋଗ ଓ ସଫଳତା ପାଇଁ ସମସ୍ତଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.