jayashree

ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଜିଲ୍ଲା ମୁଖ୍ୟାଳୟରେ ଥିବା ମନୋହରପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଇଯାଇଛି । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଓ ପ୍ରାଣୀ ସମ୍ପଦ ବିକାଶ ଓଡିଶା ସରକାର ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କ ପାଇଁ ଉଦ୍‌ବୋଧନ ଦେଇଥିଲେ । ତାଙ୍କ ଭାଷଣରେ ସେ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗିର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କହିଥିଲେ । କପୁରଚନ ନାୟକ, ସୁରେନ୍ଦ୍ର ଠାକୁର, କୁଞ୍ଜ ବିହାରୀ ମେହେର, କପିଳେଶ୍ଵର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର, ଦିବାକର ବହିଦାର, ନରସିଂହ ପ୍ରସାଦ ନନ୍ଦ, ସ୍ଵପ୍ନାନନ୍ଦ ପାଣିଗ୍ରାହୀ, ଯୁଧିଷ୍ଠିର ମିଶ୍ର, ଯୋଗେଶ୍ଵର କୁମୁର, ଧ୍ରୁବ ନାଥ, ପୁରୁଷୋତ୍ତମ ନାଥ, ଚିନ୍ତାମଣି ମିଶ୍ର, ରିଷି ଗଡତ୍ୟା, ଭାର୍ଗବୀ ଗୁରୁ, ଦଶରଥ ସାହୁ, ଯୁଗୋଳ କିଶୋର ନାଥ, ଆଠ ଗାଁ ଜମିଦାର ଧରମ ସିଂ ମାନ୍ଧତା ଭଳି ସଂଗ୍ରାମୀଙ୍କ ବଳିଦାନକୁ ଆଜି ସ୍ମରଣ କରିବାର ଦିନ ବୋଲି ସମ୍ବୋଧନ କରିଥିଲେ । ସମ୍ବିଧାନ ହେଉଛି ଯେକୌଣସି ଦେଶ ପାଇଁ ସର୍ବୋଚ୍ଚ ଆଇନ । ଏହି ଦିବସଟି ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ଯାହାକୁ ଗର୍ବ ଓ ଗୌରବର ସହ ପାଳନ କରୁଛୁ ବୋଲି ମୁଖ୍ୟ ଅତିଥି ଅଭିଭାଷଣ ଦେଇଥିଲେ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଭାରତ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଘୋଷିତ ହୋଇଥିଲା । ଏହି ପବିତ୍ର ଦିନଟି ସଂକଳ୍ପ ଓ ଆତ୍ମ ସମୀକ୍ଷାର ଦିବସ । ବିବିଧତା ମଧ୍ୟରେ ଏକତା ହେଉଛି ଦେଶର ପରିଚୟ । ଅନେକ ଜାତି, ଭାଷା, ଧର୍ମ, ବିଶ୍ୱାସ, ସଂସ୍କୃତି ଓ ପରମ୍ପରା ଦେଶକୁ ମହାନ୍‌ ଓ ସମୃଦ୍ଧ କରିଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସମସ୍ତଙ୍କୁ ସାଥୀରେ ନେଇ ଦେଶ ବହୁ ପଥ ଅତିକ୍ରମ କରି ବିକାଶ ଯାତ୍ରାରେ ଆଗେଇ ଚାଲିଛି । ଭାରତ ସମଗ୍ର ବିଶ୍ୱରେ ନିଜସ୍ୱ ଗଣତନ୍ତ୍ର ଓ ମୂଲ୍ୟବୋଧ ପାଇଁ ଉଚ୍ଚ ପ୍ରଶଂସିତ । ଗଣତନ୍ତ୍ର ପରମ୍ପରା ଓ ଏହି ପରମ୍ପରାକୁ ବଜାୟ ରଖିବା ସମସ୍ତଙ୍କ ନୈତିକ ଦାୟିତ୍ୱ । ତେଣୁ ଏହାର ଟେକ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ । ନିଜ ଭାଷଣରେ ରାଣୀପୁର ଝରିଆଲ, ହରିଶଙ୍କର, ପାଟଣେଶ୍ୱରୀ ମନ୍ଦିର, କୁମୁଡ଼ା ପାହାଡ଼, ଭୀମ ଡୁଙ୍ଗୁରୀ, ଚଉଷଠି ଯୋଗିନୀ, ସଇଁତଲାର ଚଣ୍ଡୀ ମନ୍ଦିର ଆଦି ପର୍ଯ୍ୟଟନ କ୍ଷେତ୍ର ବର୍ତ୍ତମାନ ପର୍ଯ୍ୟଟନ ମାନଚିତ୍ରରେ ବେଶ ଆଦୃତ ହୋଇଛି ବୋଲି କହିଥିଲେ । ଜିଲ୍ଲାର ଲୋକସଂସ୍କୃତି, ଲୋକକଳା, ଲୋକନୃତ୍ୟ, କୁଟୀର ଶିଳ୍ପ ବେଶ୍‌ ପ୍ରସିଦ୍ଧ । ଡାଲଖାଇ, ଦୁଲଦୁଲି, ରସରକେଲି, ଘୁମୁରା, ନଚନିଆ, ଦଣ୍ଡ, ମାଇଲା ଜଡ଼, ଢାପ୍‌, କରମା ଆଦି ଲୋକନୃତ୍ୟ ସମଗ୍ର ଦେଶରେ ଅନନ୍ୟ ବୋଲି ମନ୍ତ୍ରୀ ଉକ୍ତି ରଖିଥିଲେ । ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବହୁବିଧି ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଜଳସେଚନ ନିମନ୍ତେ ବଲାଙ୍ଗିରର ଜୀବନରେଖା କୁହାଯାଉ ଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଡ୍ୟାମ ଓ ସ୍ପିଲୱେ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ନିମନ୍ତେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସହ ଆନୁସଙ୍ଗିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ନିମନ୍ତେ ଗୁରୁତ୍ଵ ପ୍ରଦାନ କରାଯାଇଛି । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବଲାଙ୍ଗିରଠାରେ ଅତ୍ୟାଧୁନିକ ବସ ଟର୍ମିନାଲ ପ୍ରତିଷ୍ଠା କରାଯାଇ ଉନ୍ନତ ମାନର ସୁବିଧା ଯୋଗାଇ ଦିଆଯାଇଛି । ସୁକତେଲ ପ୍ରକଳ୍ପ ବଲାଙ୍ଗିର ଜଳସେଚନ କ୍ଷେତ୍ର ଓ କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ । ବଲାଙ୍ଗିର ସବୁବେଳେ ରାଜ୍ୟ ବିକାଶ ଧାରାର ଫୋକସ୍‌ରେ ରହିଛି । ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀ ୨ ହଜାର ୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ୨ ହଜାର ୨ ଶହ ୨୦ କୋଟି ଟଙ୍କା ବ୍ୟୟରେ ୧୧୨ ଗୋଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି । ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ନଦୀଗୁଡ଼ିକରେ ସବୁଦିନ ପାଣି ମିଳିବାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କରାଯାଉଛି । ଏହି ସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର କୃଷି କ୍ଷେତ୍ର ସମୃଦ୍ଧ ହେବ ଏବଂ ଚାଷୀ ଭାଇ ଭଉଣୀମାନଙ୍କର ରୋଜଗାର ବୃଦ୍ଧି ପାଇବ । ବଲାଙ୍ଗିର ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକରେ ରୂପାନ୍ତରଣ କାମ ଚାଲିଛି । ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୧୪୮୬.୨କୋଟି ଟଙ୍କାରେ ପ୍ରକଳ୍ପ କାମ ଆଗେଇ ଚାଲିଛି । ଦେଶମାତୃକର ସେବା କରିବାର ସୁଯୋଗ ମିଳିଥିବାରୁ ସମସ୍ତେ ନିଜକୁ ଧନ୍ୟ ମଣିବା ସହ ସଂସ୍କୃତି, ପରମ୍ପରା ତଥା ଐତିହ୍ୟକୁ ସର୍ବଦା ସମ୍ମାନ କରିବାକୁ ଚେଷ୍ଟିତ ରହିବା ବୋଲି ଉଦ୍‌ବୋଧନ ଦେବା ସହ ପରେ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହା ପରେ ମେଡିକାଲ ଯାଇ ବିଭିନ୍ନ ୱାର୍ଡ ବୁଲି ଫଳ ଓ ମିଠା ବାଣ୍ଟିବା ସହ ଜେଲରେ ଅନ୍ତେବାସୀଂକୁ ମିଠା, ପୁଇଁତଲାରେ ଶାଢ଼ୀ ଓ ଲୁଙ୍ଗି ବଣ୍ଟନ କରି ସମାରୋହ ଶେଷ କରିଥିଲେ । ଶେଷରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଖେଳ ପ୍ରଶାସକ ଏକାଦଶ ଏବଂ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେଇଥିଲା । ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ମୁଖ୍ୟ ଅତିଥିଙ୍କ ସହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.