ବଲାଙ୍ଗିର, (କେପିଏନ୍ଏସ୍) : ମୁଣ୍ଡ ଉପରେ ନିର୍ବାଚନ । ଏଥିପାଇଁ ନିର୍ବାଚନୀ ମଇଦାନ୍ରେ ସର୍ଗରମ୍ ପ୍ରଚାର ଚାଲିଛି । ଏହି କ୍ରମରେ ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୱାର୍ଡ ନମ୍ବର ୧୪ ମାଲପଡାରେ ସନ୍ତୋଷ ଦନ୍ତାଙ୍କ ସଭପତିତ୍ୱରେ ଆୟୋଜିତ ଏକ ବିଜେଡିର ଜନସଂପର୍କ ସାଧାରଣ ସଭାରେ ଯୋଗଦେଇ ବିଜେଡ଼ି ପ୍ରତି ଜନ ଆଶୀର୍ବାଦ ଲୋଡ଼ିଥିଲେ । ଏହି ସଭାରେ ବିଧାୟକ ପ୍ରାର୍ଥୀ କଳିକେଶଙ୍କ ସହ ତାଙ୍କ ସହଧର୍ମିଣୀ ଶ୍ରୀମତୀ ମେଘ୍ନା ସିଂହଦେଓ, ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ପୌର ଅଧକ୍ଷା ଶ୍ରୀମତୀ ଲିକା ସାହୁ, କାଉନ୍ସିଲର୍ ସଂଯୁକ୍ତା ଦନ୍ତା, ଭଗବାନ ବଗର୍ତ୍ତି, ପ୍ରଦୀପ ସାହୁ, ପ୍ରଭାସ ପାଣିଗ୍ରାହୀ, ବିଧୁଭୂଷଣ ତ୍ରିପାଠୀ ପ୍ରମୁଖ ଅଭିଭାଷଣ ଦେଇ ବିଜେଡ଼ିର ବିକାଶମୂଳକ କାମ ସଂପର୍କରେ ଆଲୋଚନା କରିଥିଲେ । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶ ମୂଳକ କାର୍ଯ୍ୟ ଏବଂ କଳିକେଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ବିଶ୍ୱାସ ରଖିଛନ୍ତି ଶ୍ରୀମତୀ ମେଘ୍ନା ସିଂହଦେଓ । ତେବେ ଶ୍ରୀମତୀ ସିଂହଦେଓ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ତାଙ୍କ ସ୍ୱାମୀ ବିଧାୟକ ପ୍ରାର୍ଥୀ କଳିକେଶଙ୍କ ପାଇଁ ସ୍ଥାନୀୟ ଅଂଚଳବାସୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । ଏହି ଅବସରରେ କଳିକେଶ ଉପସ୍ଥିତ ଜନସାଧାରଣଙ୍କ ଠାରୁ ଭୋଟ୍ ଆଶୀର୍ବାଦ ଲୋଡିଥିବା ବେଳେ ବଲାଙ୍ଗିର ସହରର ପ୍ରତ୍ୟେକ ୱାର୍ଡ଼ରେ ରହିଥିବା ସମସ୍ୟାର ସମାଧାନ ବଲାଙ୍ଗିର ପୌର ପରିଷଦ ତରଫରୁ କରାଯାଇଥିବା ମତ ରଖିଥିଲେ । ଆଉ ଯାହା ସମସ୍ୟା ରହିଯାଇଛି, ତାକୁ ନିର୍ବାଚନ ପରେ ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିବା ସହ ବିଭିନ୍ନ ପଡ଼ାର ବାସିନ୍ଦାଙ୍କ ପାଇ ସ୍ଥାୟୀ ପଟ୍ଟା ଦିଆଯିବ ବୋଲି କହିଥିଲେ । ୱାର୍ଡ଼ ନଂ.୧୪ରେ ଏକ ଓଭର୍ ଟେଙ୍କ୍ର ବ୍ୟବସ୍ଥା କରାଯିବ ଓ ଆଉ ଆଗକୁ ପାଣି ସମସ୍ୟା ରହିବ ନାହିଁ ବୋଲି ମାଲପଡା ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ କଳିକେଶ । ଏହି ଅବସରରେ ଶହ ଶହ ସଂଖ୍ୟାରେ ୱାର୍ଡର ବାସିନ୍ଦା, ବୁଦ୍ଧିଜୀବୀ, ମହିଳା, ଯୁବକ ଯୋଗ ଦେଇଥିଲେ ।
Prev Post