ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ସହ ଜନ ସମ୍ପର୍କ ଅଭିଯାନ ସହ ସଦସ୍ୟତା ଅଭିଯାନ ବୁଧବାର ଦିନ ଟିଟିଲାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାନା ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ପଦଯାତ୍ରାରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁ, ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ପାଟଣାଗଡର ପୂର୍ବତନ ବିଧାୟକ ସରୋଜ ମେହେର, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାଏକ ପ୍ରମୁଖ ସାମିଲ ଥିଲେ । ସେଠାରୁ ପୁଣି ଗୋବିନ୍ଦ ବାଟିକା ଯାଏଁ ଏହି ଜନ ସମ୍ପର୍କ ପଦଯାତ୍ରା ଯାଇ ପହଞ୍ଚିବା ପରେ ସେଠାରେ ରାଜେଶ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଭାରତୀୟ ଜନତା ପାର୍ଟି ଠକି ଠକି ଭୁଆଁ ବୁଲାଇବା ସହ ମିଛ ପ୍ରତିଶ୍ରୁତି ଦେବା ଛଡ଼ା ଅନ୍ୟ କିଛି କାର୍ଯ୍ୟ କରୁନି ବୋଲି ପୂର୍ବତନ ପାଟଣାଗଡ ବିଧାୟକ ଶ୍ରୀ ମେହେର କହିଥିଲେ । ସୁଭଦ୍ରା ଯୋଜନା ଅନ୍ତର୍ଗତ ଟଙ୍କା ଲୋଭରେ ମହିଳାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟୁକୁନି ସାହୁଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ଭୁଲିଗଲେ ବୋଲି ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ସିଂ ଭୋଇ କହିଥିଲେ । ଯଦି କାମ କରିବାର ଅଛି ତା’ହେଲେ ବିଧବା ମହିଳା ମାନଙ୍କୁ ମାସକୁ ୩ ହଜାର ଭତ୍ତା, ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ୫୦,୦୦୦ ଟଙ୍କା ଦିଅନ୍ତୁ ବୋଲି ମୋହନ ସରକାରଙ୍କୁ ଆହ୍ଵାନ ଦେଇ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ।