ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ -୨୦୨୫ ଜାନୁୟାରୀ ମାସକୁ ସଡକ ସୁରକ୍ଷା ମାସ ରୂପେ ଏକ ସମ୍ପୂର୍ଣ୍ଣ ଜନ ଅଭିଯାନ କାର୍ଯ୍ୟକ୍ରମ ପାଳନ କରିବାକୁ ଓଡିଶା ସରକାର ନିର୍ଣ୍ଣୟ ନେଇଛନ୍ତି । ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଓ ମୃତ୍ୟୁର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ସ୍ଥାନୀୟ ‘ପରିବହନ ବିଭାଗ’ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ସରକାରଙ୍କ ମୂଖ୍ୟ ଆଭିମୁଖ୍ୟ ପ୍ରତ୍ୟେକ ଜନସାଧାରଣ ” ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ,ର ଉଦ୍ଦେଶ୍ୟ ସଫଳ କରାଇବା ପାଇଁ ଦାୟିତ୍ଵ ଦେଇଛନ୍ତି । ଏହି କ୍ରମରେ “କ୍ଲିନ୍ ଓ ଗ୍ରୀନ୍” ତରଫରୁ ଛୋଟ ପ୍ରତିନିଧି ଦଳ ଏକ ସୌଜନ୍ୟମୂଳକ ସାକ୍ଷାତ ‘ପରିବହନ ବିଭାଗ’ର ବରିଷ୍ଠ ଅଧିକାରୀ ମାନଙ୍କୁ ଭେଟ କରି ଅତୀତରେ ବିଭାଗ ସହିତ ମିଳିତ ସହଯୋଗରେ କରିଥିବା କାର୍ଯ୍ୟକ୍ରମ ଉପରେ ସମ୍ୟକ ଧାରଣା ଦେଇ ଭବିଷ୍ୟତରେ ମଧ୍ୟ ଏହା ଅନୁଷ୍ଠାନ ତରଫରୁ ଜାରି ରଖାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି କ୍ରମରେ ହନୁମାନ ବାଟିକା ଛକରେ “ସଡକ ସୁରକ୍ଷା ମାସ” ଉପଲକ୍ଷେ ଜନ ସଚେତନତା ପାଇଁ “କ୍ଲିନ୍ ଓ ଗ୍ରୀନ୍” ତରଫରୁ ଆୟୋଜିତ ଏବର୍ଷର ପ୍ରଥମ ‘ସାମାଜିକ ସଚେତନତା’ ଅନ୍ତର୍ଗତ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି ଅବସରରେ ମୂଖ୍ୟତଃ ଦୁଇ ଓ ଚାରି ଚକିଆ ବାହାନ ଚାଳକ ମାନଙ୍କୁ ହେଲମେଟ ଓ ସିଟ୍ ବେଲ୍ଟ ପିନ୍ଧିବା, ଦ୍ରୁତ ଚାଳନା ନ କରିବା ତଥା ଗାଡି ଚଳାଇବା ସମୟରେ ମୋବାଇଲରେ ବ୍ୟବହାର ନ କରିବାକୁ ଉପଦେଶ ଦିଆଯିବା ସହିତ ପ୍ରଚାର ପତ୍ର ବଣ୍ଟା ଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ରାଉରକେଲାର ଟ୍ରାଫିକ ଡିଏସ୍ପି ପୁରୁଷୋତ୍ତମ ଭୋଇ, ପରିବହନ ଅଧିକାରୀ ବିପ୍ଳବ ସାମନ୍ତରାୟ, ଏମ୍ଭିଆଇ ମାନସ ରଞ୍ଜନ ପୃଷ୍ଟି ମାନଙ୍କ ସହିତ ‘କ୍ଲିନ୍ ଓ ଗ୍ରୀନ୍’ର ଉପସଭାପତି ଜ୍ୟୋସ୍ନା ନାୟକ, ସମ୍ପାଦକ ପ୍ରଦୀପ ଦାସ, ସାଂଗଠନିକ ସମ୍ପାଦକ ହିମାଂଶୁ ଶେଖର ମହାପାତ୍ର ଏବଂ ବରିଷ୍ଠ ସଭ୍ୟ ମାନଙ୍କ ଉପସ୍ଥିତରେ ସୁରୁଖୁରୁରେ ପରିଚାଳନା ହୋଇଥିଲା । ଶେଷରେ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ସେମାନଙ୍କ ବକ୍ତବ୍ୟରେ “କ୍ଲିନ୍ ଓ ଗ୍ରୀନ୍”ର ଏଭଳି ଦୃଷ୍ଟାନ୍ତ ମୂଳକ ଉଦ୍ୟମକୁ ଭୂୟସୀ ପ୍ରସଂଶା କରିଥିଲେ ଏବଂ ଭବିଷ୍ୟତରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ ପାଇଁ ବିଭାଗ ତରଫରୁ ସମ୍ପର୍କ ସହଯୋଗ ମିଳିବାର ଆଶ୍ୱାସନା ଦେଇଥିଲେ । ନିୟମିତ ସମୂହ ‘ଓଁ ‘ ଉଚ୍ଚାରଣ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।