ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାନ ଝିଅ ମୃତ, ବାପା ଓ ବଡ ଝିଅ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର – ସୋନପୁର ରାସ୍ତା ଗଇଁନ୍ତଲା ଗାଁ ଛକଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ସାନ ଝିଅ ରେଖା ପାଣ୍ଡେ(୧୪)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ବଡ ଝିଅ ଶିଖା ପାଣ୍ଡେ(୧୭) ଓ ବାପା ବୀଣାପାଣି ପାଣ୍ଡେ(୪୮)ଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପଛପଟୁ ଧକ୍କା ଦେଇଥିବା ଗଣପତି ବସ୍‌କୁ ପୁଇଁନ୍ତଲା ଥାନା ପୋଲିସ ଜବତ କରି ଥାନାକୁ ଆଣିଛି । ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତାକୁ ବନ୍ଦ କରି ଦିଆଯାଇଛି । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରିବା ସହିତ ଲୋକଙ୍କୁ ବୁଝାସୁଝା କରୁଛି ।

ସୂଚନାରୁ ପ୍ରକାଶ ଯେ, ବାହ୍ମଣୀପାଲି ଗାଁର ଚାଷୀ ବୀଣାପାଣି ପାଣ୍ଡେ ଦୁଇ ଝିଅ ରେଖା ଓ ଶିଖାଙ୍କ ଆଧାର କାର୍ଡ ତିଆରି କରିବା ପାଇଁ ପୁଇଁନ୍ତଲା ତହସିଲକୁ ଆସୁଥିଲେ । ଗଇଁନ୍ତଲା ଛକଠାରେ ଗଣପତି ବସ୍‌ ପଛପଟୁ ଆସି ଧକ୍କା ଦେଇଥିଲା । ବସ୍‌ ଧକ୍କାରେ ତିନି ବାପ ଝିଅ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ହିଁ ସାନ ଝିଅ ରେଖାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ବଡ ଝିଅଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ଭୀମଭୋଇ ମେଡିକାଲକୁ ଆଣିଥିଲେ । ଦୁର୍ଘଟଣାରେ ବଡ ଝିଅର ଗୋଟିଏ ଗୋଡ କଟିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ସେହିପରି ପିତା ବୀଣାପାଣିଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ଆଭ୍ୟନ୍ତରୀଣ କ୍ଷତି ହୋଇଥିବା ଜଣାପଡିଛି । ଏଭଳି ସ୍ଥିତିରେ ଉଭୟ ବାପ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ବଲାଙ୍ଗିର ସୋନପୁର ରାସ୍ତାକୁ ବନ୍ଦ କରି ଦିଆଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.