
କୋରାପୁଟ : କୋରାପୁଟ ଓ ବାଲେଶ୍ୱର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୋଟ୍ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବୈପାରିଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୩ ଜଣ ଗୁରୁତରଙ୍କୁ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଥିରୁ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ କୋରାପୁଟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ଭୋର୍ ସକାଳ ୫ଟା ବେଳେ ନୟାଗଡ଼ର ଗୋଟିଏ ପରିବାର ଖରା ଛୁଟି ମନେଇବା ପାଇଁ ମାଲକାନଗିରି ଯାଉଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଚନ୍ଦ୍ରପଡ଼ା ଘାଟିରେ ଗୋଟିଏ ଏର୍ଟିଗା କାର ଗଛରେ ପିଟି ହେବା ଫଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନୟାଗଡ଼ର ସୁଦୀପ୍ତ କୁମାର ସିଂ ସାମନ୍ତ ଖରାଛୁଟି ପାଇଁ ମାଲକାନଗିରିରେ ରହୁଥିବା ତାଙ୍କ ବଡ଼ ଭାଇଙ୍କ ଘରକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣାରେ ସୁଦୀପ୍ତଙ୍କ ମା, ମାଇଁ ଶାଶୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଏବଂ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ପତ୍ନୀଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ପୁଅର ଗୋଡ଼ ଭାଙ୍ଗି ଯିବା ବେଳେ ସୁଦୀପ୍ତଙ୍କ ହାତ ଭାଙ୍ଗି ଯାଇଛି । ସେ ବୈପାରିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାର ଖବର ପାଇ ବୈପାରିଗୁଡ଼ା ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ମୃତଦେହ ଉଦ୍ଧାର କରିଥିଲେ ।