ମର୍ମନ୍ତୁଦ ସଡକ ଦୁର୍ଘଟଣା

ରାଉରକେଲା : ଗତକାଲି ରାତି ପ୍ରାୟ ୧୧ଟାରେ ଲାଠିକଟା ସୁଇଡ଼ିହି ନିକଟ ତୁମୁଳକାଣ୍ଡ ଠାରେ ଛିଡା ହୋଇଥିବା ଏକ ନାଇଟକୋଚ ବସକୁ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବସ୍‌ ଡ୍ରାଇଭର ଭବାନୀ କୁମାର ଡାକୁଆ (୪୭)ଙ୍କ ମୃତ୍ୟୁ ହୋଇଛି । ଲାଠିକଟା ପୁଲିସ ନାଇଟକୋଚ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସମସ୍ତଙ୍କୁ ଅନ୍ୟ ବସରେ ପୁରୀ ନିଆଯାଇଥିବାର ଜଣାପଡିଛି । ସୂଚନା ମୁତାବକ ଘରୋଇ ଯାତ୍ରୀବାହୀ ବସ କାଳିଆକାହ୍ନୁ ଗତକାଲି ରାତି ସାଢେ ୯ଟାରେ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ପୁରୀ ବାହାରିଥିଲା । ରାତି ପ୍ରାୟ ୧୧ଟାରେ ଲାଠିକଟା ସୁଇଢ଼ିହି ନିକଟରେ ଯାତ୍ରୀଙ୍କୁ ଉଠାଇବାକୁ ବସ ଅଟକିଥିଲା ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ପଛରୁ ବସକୁ ଧକ୍କା ଦେଇଥିଲା । ବସ ଡ୍ରାଇଭର ଗାଡ଼ିରୁ ଉହଇ ଟ୍ରକ ଡ୍ରାଇଭରକୁ ଗାଳିଗୁଲଜ କରିଥିଲା । ଟ୍ରକ ଡ୍ରାଇଭରକୁ ଗାଡ଼ିରୁ ତଳକୁ ଉହ୍ଲାଇବାକୁ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟିଶୁଣି ବସରେ କିଛି ଯାତ୍ରୀ ଓ କର୍ମଚାରୀ ଆସିଯିବାରୁ ଟ୍ରକ ଡ୍ରାଇଭର ମାଡ ଭୟରେ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲା । ଟ୍ରକକୁ ଡିଭାଇଡର ଉପରେ ଚଢ଼ାଇ ଖସି ଯାଉଥିବା ବେଳେ ବସ ଡ୍ରାଇଭର ଆଗକୁ ଆସି ଯିବାରୁ ତାଙ୍କ ଉପରେ ଟ୍ରକ ମାଡି ଯାଇଥିଲା । ଘଟଣାସ୍ଥଳରେ ହିଁ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା ।

Leave A Reply

Your email address will not be published.