
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜନ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀ, ତଥା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ସୁ ସଂପର୍କ ରକ୍ଷା କରି ନିଜ ଜିଲ୍ଲାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିବ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ଅଟେ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ବିଧାନ ସଭା ଗୃହ ସଦାଚାର କମିଟିର ଅଧ୍ୟକ୍ଷ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାର ଆଜି ଆୟୋଜିତ ସମୀକ୍ଷା ବୈଠକରେ କମିଟିର ସଦସ୍ୟମାନେ ବୁକ୍ ସାରକୁଲାର ୪୭(ନିୟମାବଳୀ ୪୭) ଉପରେ ଆଲୋଚନା କରିଥିଲେ । ଏଥିରେ ପ୍ରତ୍ୟେକ ସରକାରୀ ଅଧିକାରୀ ନିୟମାବଳୀ ୪୭କୁ ପଢ଼ିବା ଉଚିତ୍ ଓ ତଦନୁଯାୟୀ ନିଜ ଜିଲ୍ଲାର ବିଧାୟକ, ସାଂସଦ ଓ ଜନ ପ୍ରତିନିଧିମାନଙ୍କ ସହିତ ଉଚିତ୍ ସମୟ, ସମ୍ପର୍କ ରକ୍ଷା କରି ସରକାରଙ୍କ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରିବ ଏବଂ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଗୃହ କମିଟିର ସଦସ୍ୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ନର୍ଲା ବିଧାୟକ ଭୁପେନ୍ଦର ସିଂ, ବିଧାୟକ ପ୍ରଫୁଲ୍ଲ ସାମଲ, ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ, ବିଧାୟକ ଶଙ୍କର ଓରାମ, ବିଧାୟକ ଦାଶରଥି ଗମାଙ୍ଗ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଆଠ ଜଣ ସଦସ୍ୟଙ୍କ ସମେତ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ସମେତ ଜିଲ୍ଲା ଏସ୍ପି ରାହୁଲ ଜୈନ, ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ, ସମସ୍ତ ବିଡ଼ିଓ ଏବଂ ତହସିଲଦାର ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ।