ଆଜି ରାଉରକେଲା ବିକାଶ ମଞ୍ଚର ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୂହିକ ବିକାଶ ପାଇଁ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଆସନ୍ତାକାଲି (ମଙ୍ଗଳବାର) ଛେଣ୍ଡ ବିଏସ୍‌ଏନ୍‌ଏଲ୍‌ ଛକଠାରେ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା ସମାବେଶ କରାଯିବ ବୋଲି ଜଣାପଡ଼ିଛି । ଏନେଇ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱ ଓ ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଏହି ସଚେତନତା ସମାବେଶରେ ବିଭିନ୍ନ ଦାବୀ ଉପସ୍ଥାପନ କରାଯାଇ ଏହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରିତ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରାଯିବ ବୋଲି ବୈଠକର ନିଷ୍ପତ୍ତି ଆଧାରରେ ମଞ୍ଚ ପକ୍ଷରୁ କୁହାଯାଇଛି । ବିଭିନ୍ନ ଦାବୀଗୁଡିକ ମଧ୍ୟରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ, ବିସ୍ଥାପିତଙ୍କ ସମସ୍ୟା, ମେଡିକାଲ କଲେଜ ଓ ସୁପର ସ୍ପେସାଲିଷ୍ଟ ହସ୍‌ପିଟାଲ, ପୁରୁଣାପାଣି ଠାରେ ସିମେଣ୍ଟ କାରଖାନା ନିର୍ମାଣ, ରାଉରକେଲାରେ ରେଳ ଡିଭିଜନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିପିୟୁଟିକୁ ଶ୍ରେଷ୍ଠ ବୈଷୟିକ ବିଶ୍ବ ବିଦ୍ୟାଳୟରେ ପରିଣତ କରାଯିବା, ମାନ୍ୟତା, ରାଉରକେଲାରେ ୪ସି ଯୁକ୍ତ ବିମାନବନ୍ଦର, ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ, ପ୍ରଦୂଷଣ ଭଳି ବିଭିନ୍ନ ପ୍ରସଙ୍ଗ ରହିଛି । ଏ ସଂପର୍କରେ ଜନସାଧାରଣଙ୍କୁ ଜଣାଇବା ସହ ଦାବୀଗୁଡିକ ପୂରଣ କରାଯିବା ପାଇଁ ସେମାନଙ୍କ ମତାମତ ଗ୍ରହଣ କରାଯିବ । ଏଥିପାଇଁ ବହୁସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଯୋଗଦେବା ପାଇଁ ଅନୁରୋଧ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସଂଜୀବ କୁମାର ମହାନ୍ତି, ଅମୂଲ୍ୟ ଚରଣ ବରାଳ, ଆଇନଜୀବୀ ସୁରେଶ ମାଝୀ, ଗୋବିନ୍ଦ ତନ୍ତୀ, ଦିଗମ୍ବର ମହାନ୍ତି, ବିଭୁତି ଭୂଷଣ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.