ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

  • ସରପଞ୍ଚ, ୱାର୍ଡମେମ୍ବର ଓ ପରିବେଶକର୍ମୀଙ୍କୁ ସମ୍ମାନୀତ କରି ପରିବେଶ ସୁରକ୍ଷାର ଶପଥ ପାଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଂରାଜୀ ନବବର୍ଷର ଶେଷଦିନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଭୋଜିଭାତ ତଥା ପିକନିକ କରି ପାଳନ କରୁଥିବା ବେଳେ ବଲାଙ୍ଗିରର ଟାଙ୍କିଆ ଜାମ କମିଟି ଏହାକୁ ନିଆରା ଭାବରେ ପାଳନ କରିଛି । ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିରେ ପରିବେଶ ସୁରକ୍ଷା ଓ ସଚେତନା ନେଇ କାର୍ଯ୍ୟକ୍ରମ କରିଛି । ଏଥିରେ କମିଟି ୫ଟି ପଞ୍ଚାୟତର ସରପଞ୍ଚ, ୱାର୍ଡମେମ୍ବର ଓ ପରିବେଶକର୍ମୀଙ୍କ ଗୋଡଧୋଇ ଚନ୍ଦନ ଲଗାଇ ଉପଢୌକନ ଦେଇ ସମ୍ମାନୀତ କରିବା ପରେ ଆଗାମୀ ବର୍ଷ ଗୋଟିଏ ଗୋଟିଏ ବରଗଛ, ଅଶ୍ୱଥତ୍‌ ଗଛ ଓ ଦେଶୀ ଆମ୍ବ ଗଛ ଲଗାଇବାକୁ ଶପଥ ପାଠ କରାଇଛନ୍ତି । କମିଟିର ମହିଳା ସଭ୍ୟାମାନେ ଜଙ୍ଗଲ ସୁରକ୍ଷା କରୁଥିବା ପରିବେଶକର୍ମୀର୍ଙ୍କୁ ଭାଇ ଜିଉଁତିଆର ଦୂବ ଉତାରି ତାଙ୍କ ହାତରେ ଜିଊଁତିଆ ପିନ୍ଧାଇ ସମ୍ମର୍ଦ୍ଧିତ କରିଥିଲେ । ପରିବେଶ ପ୍ରଦୂଷଣ ଓ ବିଶ୍ୱତାପନ ସମସ୍ୟାରେ ବିଶ୍ୱବାସୀ ଆତଙ୍କିତ ହୋଇପଡିଛନ୍ତି । ଆଗକୁ ପୃଥିବୀକୁ ବଞ୍ଚାବାକୁ ହେଲେ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ହିଁ ଏକମାତ୍ର ବିକଳ୍ପ ବୋଲି ଆହ୍ୱାନ ଦିଆଯାଇଥିଲା । ଭୀମଡୁଙ୍ଗୁରୀ, ସୁଲିଆପାହାଡ, ମଠଖାଇ ଜଙ୍ଗଲ ସୁରକ୍ଷା କରୁଥିବା ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏଡ୍‌ଭୋକେଟ୍‌ ଭକ୍ତବନ୍ଧୁ ନାଏକ ଓ ତାଙ୍କ ଟିମ୍‌ ଜଗନ୍ନାଥ ଭଜନଗାନ ଓ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ଜଙ୍ଗଲ ସୁରକ୍ଷା, ସମାଜ ସଂସ୍କାର ତଥା ଭାରତୀୟ ସଂସ୍କୃତି ସୁରକ୍ଷା ଦିଗରେ କାମ କରୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟାଙ୍କିଆ ଜାମ୍‌ କମିଟିର ସଭାପତି ଏଡ୍‌ଭୋକେଟ୍‌ ଗୋପାଳଚନ୍ଦ୍ର ହୋତାଙ୍କ ସଭାପତିତ୍ୱ ଓ ଆଦିବାସୀ ନେତା ମୟ ପଧାନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପଥର ଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଦିବାସୀ ନେତା ଘନଶ୍ୟାମ ପଧାନୀ, ମହିମୁଣ୍ଡା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଶଙ୍କର ବିଶ୍ୱାଳ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମକୁନ୍ଦପୁର ସରପଞ୍ଚ ଜାନକୀ ସାହୁ, ବରକାନୀ ସରପଞ୍ଚ ବଳଦେବ ସାହୁ, ଖୁଜେନପାଲି ସରପଞ୍ଚ ରଂଜିତା ପାଣିଗ୍ରାହୀ, ମହଲେ ସରପଞ୍ଚ ଚିତ୍ତରଂଜନ ସାହୁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଝାଙ୍କର ତାଙ୍କ ବକ୍ତବ୍ୟରେ ପରିବେଶ ସୁରକ୍ଷା ଦିଗରେ ବିଶ୍ୱରେ ହୋଇଥିବା ଅନେକଗୁଡିଏ ଆନ୍ଦୋଳନ ବିଷୟରେ ସୂଚନା ଦେଇଥିଲେ ଓ ଟାଙ୍କିଆଜାମ କମିଟିର ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ସଂସ୍କାରିତ ସମାଜ ଓ ସଚେତନ ନାଗରିକମାନେ ବିଶ୍ୱକୁ ବଞ୍ଚାଇବା ପାଇଁ ଆଗେଇ ଆସିବାକୁ ଟାଙ୍ଗିଆଜାମ କମିଟିର ସଭାପତି ଗୋପାଳ ହୋତା ଆହ୍ୱାନ ଦେଇଥିଲେ । ବିଗତ ୨୦ବର୍ଷ ହେଲା ଟାଙ୍ଗିଆଜାମ କମିଟି ଗାଁକୁ ଗାଁ ବୁଲି ପରିବେଶ ସୁରକ୍ଷା ଓ ବନସଂରକ୍ଷଣ ନେଇ ସଚେତନତାର ବାର୍ତ୍ତା ପ୍ରଚାର କରୁଛି । ଏହା ସହିତ ବର୍ଷାଦିନରେ ବୃକ୍ଷ ରୋପଣ ପାଇଁ ଚାରା ବଣ୍ଟନ ମଧ୍ୟ କରୁଛି । ପ୍ରତିବର୍ଷ ପ୍ରାୟ ୧୫ରୁ ୨୦ହଜାର ଚାରା ବଣ୍ଟନ କରୁଛି । ଏହା ସହିତ ହେଣ୍ଡମାଇପ ଲଗାଇ ଗାଁ ଗାଁରେ ବୁଲିବୁଲି ସଚେତନତା କରିଆସୁଛି । ଏହି ଅଭିଯାନରେ ବଲାଙ୍ଗିର, ଦେଓଗାଁ, ପୁଇଁତଳା ଓ ଲୋଇସିଂହା ବ୍ଲକର ବିଭିନ୍ନ ଅଞ୍ଚଳର ପୁରୁଷ/ମହିଳା ସାମିଲ ହେଉଛନ୍ତି । ଭୀମଡୁଙ୍ଗୁରୀରେ ହଜାର ହଜାର ପର୍ଯ୍ୟଟକଙ୍କ ଉପସ୍ଥିତିରେ ଏଭଳି ଏକ ନୀଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀବତ୍ସ ସାହୁ, ଏଡ୍‌ଭୋକେଟ୍‌ ସୁଶାନ୍ତ ପତି, ସୁଶାନ୍ତ ପାତ୍ର, ଏଡ୍‌ଭୋକେଟ ରଶ୍ମିତା ବାଗ, ଅଶୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.