ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକଠାରେ ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ନିୟମ ଉପରେ ଏକ ସଚେତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷ ଇଂ. ନିଶାକର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠାନର ଶେଷ ବର୍ଷର ମେକାନିକାଲ ବିଭାଗ ଏବଂ ହୋଟେଲ ମ୍ୟାନେଜମେଣ୍ଟ ଓ କ୍ୟାଟରିଂ ଟେକ୍ନୋଲୋଜି ବିଭାଗର ବିଦ୍ୟାର୍ଥୀମାନେ ଟ୍ରାଫିକ ନିୟମ ପାଳନ ଉପରେ ବିଭିନ୍ନ ସ୍ଲୋଗାନମାନ ଦେଇ ପ୍ଲାକାର୍ଡ ପ୍ରଦର୍ଶନ କରି ଲୋକଙ୍କୁ ସଚେତନ କରିଥିଲେ । ଏହାର ମୂଳ ଉଦ୍ଦେଶ୍ୟ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଦେଶ ଓ ସମାଜପ୍ରତି ଥିବା ସାମାଜିକ ଦାୟିତ୍ବବୋଧ ଜାଗ୍ରତ କରାଇବା ସହ ଦଳଗତ କାର୍ଯ୍ୟ କରିବାକୁ ନେଇ ଶିକ୍ଷା ଓ ପ୍ରୋତ୍ସାହନ ଦେବା । ଏହା ଡିପ୍ଲୋମା ପାଠ୍ୟକ୍ରମର ଶେଷ ବର୍ଷରେ ଲାଇଫ ସ୍କିଲ୍ ବିଷୟ ଅନ୍ତର୍ଭୁକ୍ତ । ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ତିଆରି ଟ୍ରାଫିକ ନିୟମ ସମ୍ବନ୍ଧୀୟ ସନ୍ଦେଶ ବାର୍ତ୍ତା ପତ୍ର ନିୟମ ଭଙ୍ଗ କରୁଥିବା ଗାଡ଼ି ଚାଳକଙ୍କୁ ଦିଆଯିବା ସହ ନିୟମ ଅନୁପାଳନ କରିଥିବା ଗାଡ଼ି ଚାଳକଙ୍କୁ ଧନ୍ୟବାଦ୍ ପତ୍ର ଦିଆଯାଇଥିଲା । କାର୍ଯ୍ୟକ୍ରମକୁ କଲେଜର ହୋଟେଲ ମ୍ୟାନେଜମେଣ୍ଟ ଓ କ୍ୟାଟରିଙ୍ଗ ଟେକ୍ନୋଲୋଜି ବିଭାଗର ଅଧ୍ୟାପିକା ଆଶ୍ରିତା ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଂଯୋଜନା କରିଥିଲେ । ଅବନୀ, ଅନୀଲ, ଆଦିତ୍ୟ, ବିଜୟ, ଔରଜିତ୍, ସାଇସ, ରଶ୍ମିରଞ୍ଜନ, ସାନୁ, ରାଜେଶ, ସୁନିଲ, ସାଇ, ସୁବାଷିନି, ଅର୍ଚ୍ଚନା, ପୂର୍ଣ୍ଣ, ସାଇଶ୍ରୀତମ୍, ଶିବଶଙ୍କର, ଗୌରବ, ମୋହିତ, ବିକାଶ, ସିମାଂଶୁ, ଅନିକେତ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।