ଅଣସଂକ୍ରାମକ ରୋଗର କାରଣ, ପ୍ରତିକାର ଓ ପ୍ରତିଷେଧକ ସମ୍ପର୍କରେ ସଚେତନତା

ଭୋଗରାଇ : ଓଡ଼ିଶା ରାଜ୍ୟ ଆୟୁଷ ସୋସାଇଟି, ଜାତୀୟ ଆୟୁଷ ମିଶନ ଓ ଆୟୁଷ ନିର୍ଦ୍ଦେଶାଳୟ‌ ଓଡ଼ିଶା ପକ୍ଷରୁ ଆୟୁଷ ବିଦ୍ୟାଳୟ ସ୍ଵାସ୍ଥ୍ୟ ଓ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋପିନାଥପୁର ସ୍ଵାମୀ ସ୍ଵରୂପାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଆୟୁର୍ବେଦ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଵାସ୍ଥ୍ୟ ସୁରକ୍ଷା ଅଭିଯାନର ମହତ୍ଵାକାଂକ୍ଷୀ ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ।

ଭୋଗରାଇ ବ୍ଲକ ଗୋପୀନାଥପୁର ଆୟୁର୍ବେଦ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜୀବ କୁମାର ମାଝୀଙ୍କ ପରିଚାଳନାରେ ଦିବସ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁର୍ବେଦ ପ୍ରୋଗ୍ରାମ ମ୍ୟାନେଜର ଦିପ୍ତିମୟୀ ମିଶ୍ର, ଆୟୁଷ ଡାକ୍ତର ସମୀର ଛାଟୋଇ, ଡାକ୍ତର ତପସ୍ବୀନି ମିଶ୍ର, ଡାକ୍ତର ମୁଜାମନ ଅଲ୍ଲୀ, ଯୋଗ ପ୍ରଶିକ୍ଷକ ସୁଶାନ୍ତ କୁମାର ସାମଲ ଓ ଶ୍ରୀମତି ସସ୍ମିତା ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦୟହରି ଗିରି ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ଅଣ ସଂକ୍ରାମକ ରୋଗ ଗୁଡିକର କାରଣ, ଏହାର ପ୍ରତିକାର ଏବଂ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏହାସହିତ କିଶୋର, କିଶୋରୀ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସନ୍ତୁଳିତ‌ ଆହାର, ଔଷଧୀୟ ବୃକ୍ଷ ସମ୍ପର୍କରେ ସମ୍ୟକ ଜ୍ଞାନ, ଯୋଗ ଏବଂ ଉତ୍ତମ ଜୀବନଶୈଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସମ୍ପର୍କୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବକ ମାଗଣା ଆୟୁର୍ବେଦିକ ଔଷଧ ବଣ୍ଟନ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା । ବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏହି ସ୍ବାସ୍ଥ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରେ ସମ୍ପୃକ୍ତ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା ।

Leave A Reply

Your email address will not be published.