ରୋତ କଲେଜରେ ଜିଲ୍ଲାସ୍ତରୀୟ ରକ୍ତହୀନତା ସଚେତନତା ସ୍ୱାସ୍ଥ୍ୟ ଶିବିର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ଜିଲ୍ଲାସ୍ତରୀୟ ଏକଦିବସୀୟ ରକ୍ତହୀନତା ସଚେତନତା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ସହଯୋଗରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦଶଟି ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଛାତ୍ରୀ ଓ କାର୍ଯ୍ୟକ୍ରମ ଅଧିକାରୀବୃନ୍ଦ ଯୋଗଦାନ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ସଭାପତିତ୍ୱ କରିଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ତଥା ଜାତୀୟ ସେବା ଯୋଜନାର ଜିଲ୍ଲା ସଂଯୋଜକ ଡକ୍ଟର ବଂଶୀଧର ଦୀପ ମୁଖ୍ୟଅତିଥି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅଜିତ କୁମାର ଭୋଇ ସମ୍ମାନୀତ ଅତିଥି, ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡକ୍ଟର ଧୀରେନ୍ଦ୍ର କୁମାର ମେହେର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ରକ୍ତହୀନତାର କାରଣ ଓ ନିରାକରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସଭାକୁ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଦୈତାରୀ ଶବର ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ଛାତ୍ରୀ ମାମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଲୋଇସିଂହା ମହାବିଦ୍ୟାଳୟ, ଚନ୍ଦନଭାଟିର ସୁଦାମ ଚରଣ ମହାବିଦ୍ୟାଳୟ, କୁସଙ୍ଗର ଆଞ୍ଚଳିକ ମହାବିଦ୍ୟାଳୟ, ଆଗଲପୁରର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ଓ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ଦୁଇଶହ ପଚାଶ ଜଣ ଛାତ୍ରୀ ଯୋଗଦାନ କରିବା ସହ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ବିଭିନ୍ନ ମହାବିଦ୍ୟାଳୟରୁ ଡକ୍ଟର ମିନତୀ ଦେବତା, ଡକ୍ଟର ରମଣୀ ନାଏକ, ଦୀପ୍ତିମୟୀ ନାଏକ, ଦେବକୀ ନାଏକ, ଡକ୍ଟର ଲକ୍ଷଣ ମେହେର, ଜଗମୋହନ ଦର୍ଜି, ଯୁଧିଷ୍ଠିର ପଧାନ, ବିରେନ୍ଦ୍ର କୁମାର ବାଗ ପ୍ରଭୃତି କାର୍ଯ୍ୟକ୍ରମ ଅଧିକାରୀ ଭାବେ ଯୋଗଦାନ କରିଥିଲେ । ଏଥିରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସମସ୍ତ ସ୍ୱେଚ୍ଛାସେବୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.