ରାଉରକେଲା, (ସସ୍ମିତା ପ୍ରଧାନ) : ସାମ୦ଜିକ ଅନୁଷ୍ଠାନ ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ କୋଏଲ ନଗର ସ୍ଥିତ ଆର୍ଏସ୍ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ବିଶ୍ଵ କିଡନୀ ଦିବସ ଉପଲକ୍ଷେ ଏକ ସଚେତନତା ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ପ୍ରମୁଖ ଟ୍ରଷ୍ଟି ଇଂ ଆଲୋକ ରଂଜନ ମଲ୍ଲିକଙ୍କ ଆବାହକତ୍ୱ ଓ ଟ୍ରଷ୍ଟି ରାମକୃଷ୍ଣ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଇସ୍ପାତ ଜେନେରାଲ ହସ୍ପିଟାଲର ମୁଖ୍ୟ ମେଡ଼ିକାଲ ଅଫିସର ଡାକ୍ତର ଜୟନ୍ତ ଆଚାର୍ଯ୍ୟ ମୁଖ୍ୟଅତିଥି, ଇଂ ଅଭୟ କୁମାର ଦାସ ସମ୍ମାନିତ ଅତିଥି ଓ ଆଇଜିଏଚ୍ର ବୃକକ ବିଶାରଦ ଡାକ୍ତର ସରୋଜ କୁମାର ରାଉତ ମୁଖ୍ୟବକ୍ତା ରୂପେ ଯୋଗଦେଇ ବିଶ୍ୱ କିଡନୀ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଡା. ଆଚାର୍ଯ୍ୟ ଟ୍ରଷ୍ଟର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କିଡନୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଉପସ୍ଥିତ ଜନସାଧାରଣଙ୍କ ପାଇଁ ବହୁ କାମରେ ଆସିବ । ଏହାସହ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଉପଦେଶ ଦେଇ ସୁସ୍ଥ ସ୍ୱାସ୍ଥ୍ୟ ସୁନ୍ଦର ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ବୃକକ ବିଶେଷଜ୍ଞ ଡା. ରାଉତ କିଡନୀ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେ ତାଙ୍କ ବକ୍ତବ୍ୟରେ କିଡନୀ ରୋଗର ଲକ୍ଷଣ ଯେପରି ପରିସ୍ରାର ରଙ୍ଗ ପରିବର୍ତ୍ତନ, ଫେଣଯୁକ୍ତ ପରିସ୍ରା, ଶରୀରରେ ସ୍ପୀତି, ସର୍ବଦା କ୍ଳାନ୍ତ ଲାଗିବା, ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା, ଶୁଷ୍କ ଏବଂ କୁଣ୍ଡେଇ ହେବା ଚର୍ମ, ମାଂସପେଶୀରେ ଯନ୍ତ୍ରଣା, ଶ୍ୱାସ ନେବାରେ ଅସୁବିଧା ଆଦି ଲକ୍ଷଣଗୁଡ଼ିକରୁ ଜଣାପଡିଥାଏ । ସେହିପରି ନିରାକରଣ ଯଥା ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଲୁଣ ଓ ପ୍ରୋସେସ ଖାଦ୍ୟ କମ ଖାଇବା, ରକ୍ତଚାପ ଓ ରକ୍ତ ଶର୍କରାକୁ ନିୟନ୍ତ୍ରଣ, ନିୟମିତ ବ୍ୟାୟାମ, ଅଧିକ ପେନକିଲର ଔଷଧ ବ୍ୟବହାର ନକରିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଇଂ ମଲ୍ଲିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ତଥା ସଂଯୋଜକ ଶ୍ରୀ ତ୍ରିପାଠୀ ଅନୁଷ୍ଠାନ ଦ୍ଵାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ଟ୍ରଷ୍ଟି ବ୍ରଜେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରେମାନନ୍ଦ ସାମଲ, ଅଶୋକ ପଟ୍ଟନାୟକ, ଜଗନ୍ନାଥ ରାଉତ, ଗିରିଧାରୀ ସ୍ୱାଇଁ, ପ୍ରଦୀପ ପଣ୍ଡା, ବିକ୍ରମ ସ୍ୱାଇଁ, ଡ଼ା. ଅବନୀ ଦାସ, ଡ଼ା. ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଶତାଧିକ ବ୍ୟକ୍ତିଙ୍କ ନିଃଶୁଳ୍କ ସ୍ୱାସ୍ଥ୍ୟ ଓ ମଧୁମେହ ପରୀକ୍ଷା କରାଯାଇଥିଲା ।