ଖଣ୍ଡାଧାର ପିକନିକ୍ ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ନେଇ ସଚେତନତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାର ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଏସପିସିବିର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା । ଏସପିସିବିର ରାଉରକେଲା ଆଞ୍ଚଳିକ ଅଧିକାରୀ ଆୟୋଜିତ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପିକନିକ୍ ଓ ପର୍ଯ୍ୟଟନ ସ୍ଥଳ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଆମର ମାନସିକତାର ପରିବର୍ତ୍ତନ ଆବଶ୍ୟକ । ଓଡିଶାରେ ଅନେକ ସ୍ଥାନ ପ୍ଲାଷ୍ଟିକ ମୁକ୍ତ ହୋଇଥିବା ବେଳେ, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଥିବା ୪୦ରୁ ଅଧିକ ପର୍ଯ୍ୟଟନ ଓ ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଅଭିଯାନ ଜାରି ରହିଛି । ଏଦିଗରେ ଜନସାଧାରଣଙ୍କ ସହଯୋଗ ସେ କାମନା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଜେଏସଡବ୍ଲୁ ମାଇନିଙ୍ଗ ବିଭାଗ ବିଜିନେସ ହେଡ଼ ପ୍ରସନ୍ନ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ଲାଷ୍ଟିକ ପ୍ରଦୂଷଣର ମୂଳ କାରଣକୁ ଚିହ୍ନଟ କରି ପ୍ରତିକାର କରାଯିବାର ଆବଶ୍ୟକତା ରହିଛି । ତେବେ ଜନ ସହଭାଗିତା ଜରୁରୀ ବୋଲି ମତ ଦେଇଥିଲେ । ଶିକ୍ଷାବିତ ତଥା ସମାଜସେବୀ ଏସ.ଏନ ମଲ୍ଲିକ, ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ, ବିଜୟ କୁମାର ଭୋଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥି ଓ ଉପସ୍ଥିତ ବ୍ୟକ୍ତି ବିଶେଷ ଶପଥ ପାଠ କରିଥିଲେ । ଅନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ପର୍ଯ୍ୟଟନ ଓ ପିକନିକ୍ ସ୍ଥଳରେ ବର୍ଜ୍ୟବସ୍ତୁ କିମ୍ୱା ପଲିଥିନ ନଫିଙ୍ଗିବାକୁ ପରାମର୍ଶ ଦିଆଯାଇଥିଲା । ସ୍ୱଚ୍ଛତା ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଥିଲା । ଖଣ୍ଡାଧାରରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ବଣାଇ ଏସିଏଫ୍‌ ଦୁର୍ଯ୍ୟେଧନ ଜରାଇ, ବିବେକାନନ୍ଦ ଦାସ, ଅନୁପ ମଲ୍ଲିକଙ୍କ ସମେତ ଲୋକେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.