-ପୋଷଣ ସାମଗ୍ରୀ ବଣ୍ଟନ
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ରୋଟାରୀ କ୍ଲବର ମାତୃ ଓ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଭାପତି ଭବାନୀ ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ବାରିପଦାର ଦାରୋଗଡାହିସ୍ଥ ୱାର୍ଡ ନଂ ୧୯ ଓ ତକତପୁର ୱାର୍ଡ ନଂ ୨୩ ଏବଂ ୨୭ ଠାରେ ଅବସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ରୋଟାରୀ ଆନ୍ତର୍ଜାତିକ କ୍ଳବର ପ୍ରକଳ୍ପ ଅଧ୍ୟକ୍ଷା ରୋଟରିଆନ ନୂପୁର ବୋଷ ଓ ରୋଟାରିଆନ ଶିବାଶିଷ ସୁରି ଆଦି ଉତ୍ସ ବିଶେଷଜ୍ଞ ଓ ସମୀକ୍ଷକ ଭାବରେ ଉପସ୍ଥିତ ରହି ଦୁଇଟି ଯାକ କେନ୍ଦ୍ରର ପ୍ରାୟ ଶହେ ତିରିଶ ଜଣ ମାଆ ଓ ନବଜାତ ଶିଶୁମାନଙ୍କର ବିଶେଷ ଭାବରେ ଯତ୍ନ ନେବା ତଥା ଉଭୟ ଓ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକ ସମ୍ପର୍କରେ ସଚେତନ କରିଥିଲେ । ଆଲୋଚନା ଓ କଥୋପକଥନ ଜରିଆରେ ମାଆମାନେ ନିଜ ନିଜର ଦୈନନ୍ଦିନ ଜୀବନରେ ଏ ଦିଗରେ ସମ୍ମୁଖ ହେଉଥିବା ଯାବତୀୟ ସମସ୍ୟା ଗୁଡ଼ିକ ସମ୍ପର୍କରେ ସମାଧାନ ଆଦି ପଚାରି ବୁଝିଥିଲେ । ଏହା ସଙ୍ଗେ ବିଶେଷଜ୍ଞମାନେ ଉଭୟ କେନ୍ଦ୍ରର ମାଆ ଓ ଶିଶୁଙ୍କୁ ରୋଟାରୀ ଆନ୍ତର୍ଜାତିକ କ୍ଲବ୍ ପ୍ରଦତ୍ତ ସଚେତନତା ବାର୍ତ୍ତା ଦେବା ସହ ବିଶ୍ଵସ୍ଵାସ୍ଥ୍ୟ ସଂଘ ପ୍ରସ୍ତାବିତ ଶୈଶବାବସ୍ଥାରେ ଶିଶୁମାନଙ୍କ ଶରୀର ଯତ୍ନ ଉପଯୋଗୀ ସାମଗ୍ରୀ ଯଥା- ଦେହ ଲଗା ତେଲ ,ସାବୁନ , ତଉଲିଆ, ଖେଳନା ତଥା ଫଳ ଓ ବିସ୍କୁଟ ଆଦି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ପରେ ପରେ ବାରିପଦା ସଭାକାର୍ଯ୍ୟ ଆରମ୍ଭରେ କ୍ଲବ ସମ୍ପାଦକ ତିମିର କୁମାର ଘୋଷ ସ୍ୱାଗତ ଅଭିଭାଷଣ ରଖିଥିଲେ । ପ୍ରକଳ୍ପ ଅଧ୍ୟକ୍ଷ ରୋଟାରିଆନ୍ ରାକେଶ ସିଂଙ୍କ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀ ଓ ଗ୍ରାମବାସୀମାନଙ୍କ ସମେତ ଅତିଥି ତଥା ସଦସ୍ୟ ସଦସ୍ୟାମାନଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ୍ ଅର୍ପଣରେ ସଭା ସମାପନ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କ୍ଲବର ବରିଷ୍ଠ ସଦସ୍ୟ ରୋଟାରିଆନ୍ ରବିନ୍ଦ୍ରନାଥ ମହାପାତ୍ର, ପ୍ରାକ୍ତନ ସଭାପତି ରୋଟାରିଆନ ଡ.ପୁଷ୍ପା ପାତ୍ର ଆଦି ସହଯୋଗ କରିଥିଲେ ।