କୋମନା ବ୍ଲକରେ “ଜୁହାର” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ସଚେତନତା

ନୂଆପଡା, (କେପିଏନ୍‌ଏସ୍‌) : କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତରେ ଏକ ଅଭିନବ କାର୍ଯ୍ୟକ୍ରମ “ଜୁହାର” ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ପାଇଁ ହିତାଧୀକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ନିର୍ମାଣ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ବହୁ ହିତାଧୀକାରୀ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ କରୁନାହାନ୍ତି କି ଗୃହ ନିର୍ମାଣ ସଂପୂର୍ଣ୍ଣ କରୁ ନାହାନ୍ତି । ଏହା ଫଳରେ ପ୍ରଶାସନ ଉପରେ ଅଯଥା ଚାପ ସୃଷ୍ଟି ହେଉଛି ଏବଂ ନୂତନ କୋଟା ପୂରଣ ପାଇଁ ଅସୁବିଧା ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରୋଗ୍ରାମ ମେନେଜର ର୍ୟୁରାଲ୍ ହାଉସିଂ, ପିଏମ–ଆର୍‌ଏଚ୍‌ ନୂଆପଡା ବିଦେଶ ଘୋଷ , ଏ ବି. ଡି. ଓ କୋମନା ଭକ୍ତବନ୍ଧୁ ବୁଡେକ୍, ବିପିସି ଆର୍ ଏଚ ରୁଦ୍ରେଶ୍ୱର ନାଗ ଏବଂ ପି. ଇ. ଓ ଙ୍କ ସମ୍ମିଳିତ ଉଦ୍ୟମ କ୍ରମେ ଏକ ଅଭିନବ “ଜୁହାର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୃଦଙ୍ଗ ଓ ତାଳର ଗୁଞ୍ଜରଣରେ ଭକ୍ତି ସହିତ ମନୋହର କୀର୍ତ୍ତନ ଦ୍ଵାରା ଏହା ଆରମ୍ଭ ହେଲା । ହାତଯୋଡ଼ି ବିନମ୍ର ଭାବରେ ହିତାଧିକାରୀମାନଙ୍କୁ ଅଧିକାରୀ ମାନେ ନିବେଦନ କଲେ ଯେ ଆର୍‌ଏଚ୍‌ ଯୋଜନାରେ ପ୍ରାପ୍ତ ଆବାସଗୁଡ଼ିକୁ ସେମାନେ ଶୀଘ୍ର ନିର୍ମାଣ କରି ସ୍ୱପ୍ନର ଘରକୁ ବାସ୍ତବରେ ପରିଣତ କରନ୍ତୁ । କୀର୍ତ୍ତନ ଓ ମୃଦଙ୍ଗ ତାଳ ସହ ଘରେ ଘରେ ପହଞ୍ଚି, ଶ୍ରଦ୍ଧା, ସମ୍ମାନ ଓ ସଚେତନତାର ପରିବେଶ ସୃଷ୍ଟି କରାଯାଇଥିଲା । ହିତାଧିକାରୀ ମାନଙ୍କୁ ମାଳା ଅର୍ପଣ କରି ସମ୍ମାନର ସହ ସେମାନଙ୍କୁ ଘର ନିର୍ମାଣକାର୍ଯ୍ୟ ଶୀଘ୍ର ସମାପ୍ତ କରିବାପାଇଁ ପ୍ରେରିତ କରାଗଲା । ଏହି ନୂତନ “ଜୁହାର” ଉଦ୍ୟମ ପଞ୍ଚାୟତରେ ଜାଗରଣ, ସକାରାତ୍ମକତା ଓ ସମୃଦ୍ଧ ଦାୟିତ୍ୱବୋଧର ଅନୁପମ ପରିବେଶ ସୃଷ୍ଟି କରିଥିଲା ।

Leave A Reply

Your email address will not be published.